ୱିପ୍ରୋର କାର୍ଯ୍ୟାନୁଷ୍ଠାନ : ୩୦୦ କର୍ମଚାରୀଙ୍କୁ ଚାକିରିରୁ କଲା ଛଟେଇ, ପଢନ୍ତୁ କାହିଁକି ?

1,808

କନକ ବ୍ୟୁରୋ : ପ୍ରସିଦ୍ଧ ଆଇଟି କମ୍ପାନୀ ମୁନଲାଇଟିଂ କରୁଥିବା ନିଜର ୩୦୦ କର୍ମଚାରୀଙ୍କୁ ଛଟେଇ କରିଦେଇଛି । ୱିପ୍ରୋରେ ଚାକିରି କରୁଥାଇ ମଧ୍ୟ ଅନ୍ୟ ସ୍ଥାନରେ ଲୁଚି ଲୁଚି ଚାକିରି କରୁଥିବା କର୍ମଚାରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୱିପ୍ରୋ ଚେୟାରମ୍ୟାନ ରିଶଦ ପ୍ରେମଜୀ କହିଛନ୍ତି, ଗତ ଦୁଇ ତିନ ମାସ ହେଲା ୱିପ୍ରୋର କିଛି କର୍ମଚାରୀ ମୁନଲାଇଟିଂ କରୁଥିବା ଖବର ମିଳିଥିଲା । ଆଉ ଏହା ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ୱିପ୍ରୋରେ ନିୟମିତ ଚାକିରୀ କରିବା ସହ ଛୁଟି ସମୟରେ ପ୍ରତିଦ୍ୱନ୍ଦ୍ୱି କମ୍ପାନୀ ପାଇଁ କାମ କରୁଥିବା କର୍ମଚାରୀଙ୍କ ପାଇଁ ୱିପ୍ରୋରେ କୌଣସି ସ୍ଥାନ ନାହିଁ । ବୁଧବାର ଅଲ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନକୁ ସମ୍ବୋଧିତ କରି ପ୍ରେମଜୀ କହଛନ୍ତି, ମୁନଲାଇଟିଂ-ଚାକିରି ପ୍ରତି ନିଷ୍ଠାର ଖୋଲାଖୋଲି ଉଲ୍ଲଂଘନ । ୱିପ୍ରୋ ପକ୍ଷରୁ ମୁନଲାଇଟିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ କର୍ପୋରେଟ ଜଗତରେ ହଇଚଇ ଖେଳି ଯାଇଛି । ଏନେଇ ବିଭିନ୍ନ ଆଇଟି ଫାର୍ମ ନିଜ କର୍ମଚାରୀଙ୍କୁ ସତର୍କ କରାଇ ଦେଇଛନ୍ତି । ମୁନଲାଇଟିଂ ପାଇଁ ପ୍ରଥମ ଆଇଟି କମ୍ପାନୀ ଭାବେ ୱିପ୍ରୋ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଛି ।

ତେବେ ମୁନ ଲାଇଟିଂକୁ ନେଇ ଭାରତୀୟ ଆଇଟି- ଚାକିରିରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଟାଟା କନସଲଟାନ୍ସି ସର୍ଭିସର ଚିଫ୍ ଅପରେଟିଂ ଅଫିସର ଏନଜି ସୁବ୍ରମଣ୍ୟମ କହିଛନ୍ତି, ଏହା ନୈତିକତାର ପ୍ରଶ୍ନ । ଟେକ ମହିନ୍ଦ୍ରାର ସିଇଓ ସିପି ଗୁରୁନାନି କହିଛନ୍ତି, ଏହା କର୍ମଚାରୀଙ୍କ ପାଇଁ ଅତିରିକ୍ତ ଆୟର ସ୍ରୋତ ପାଲଟିଲେ ମୁନଲାଇଟିଂକୁ ସୁଯୋଗ ମିଳିବା ଉଚିତ । ଏହାଦ୍ୱାରା କର୍ମଚାରୀ ଖୋଲାଖୋଲି ହେବେ ଧୋକ୍କା ଦେବେ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ଇନଫୋସିସ୍ କମ୍ପାନୀ କର୍ମଚାରୀଙ୍କୁ ସତର୍କ କରାଇଦେଇ କହିଛି, କମ୍ପାନୀର ବିନା ଜାଣତରେ ମୁନଲାଇଟିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।