କନକ ବ୍ୟୁରୋ: ଏହି ଝାଟିମାଟିର ଭଙ୍ଗା ଦଦରା କୁଡିଆରୁ ସ୍ୱପ୍ନ ସଜାଡୁଥିଲା ଗରିବ ଆଦିବାସୀ ଝିଅ । ଅଭାବ ଅନଟନର ଅନ୍ଧାର ଭିତରେ ଗରିବ ଘରୁ ଗଢୁଥିଲା ସ୍ୱପ୍ନର ସୁନେଲୀ ଭବିଷ୍ୟତ । ହେଲେ ବିଧାତା ରଚିଲା ବର୍ଷାର ବିଚିତ୍ର ଖେଳ । ମୁଣ୍ଡ ଉପରୁ ଛାତ ତ ନେଇଗଲା, ଆଉ ଛାତିରେ ଦେଇଗଲା ଅନେକ ଯନ୍ତ୍ରଣା । ଓଳିଏ ଖାଇ ଓଳିଏ ଓପାସ ରହି ପାଠ ପଢିବାକୁ ବହି ଯୋଗାଡ କରିଥିବା ଗରିବ ଆଦିବାସୀ ଝିଅର ଭବିଷ୍ୟତକୁ ଓଦା କରିଦେଲା ବର୍ଷା । ଆଉ ବର୍ଷା ଭିଜା ବହିରୁ ଫର୍ଦ୍ଦ ଫର୍ଦ୍ଦ ହୋଇ ଚିରିଯାଉଥିଲା ଆଶା, ଭାସିଯାଉଥିଲା ଭବିଷ୍ୟତ । ବାସ୍ ଏତିକିବେଳେ ଭରସାର ନାଉରିଆ ସାଜି ଆଗେଇ ଆସିଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ ।

ଭଙ୍ଗା ଘରେ ରହିବନି ଭଉଣୀ
ଲୁହ ପୋଛିବି, ବହି ଦେବି, ନୂଆ ଘର ତୋଳିଦେବି

Advertisment

ଗତ ଅଗଷ୍ଟ ୧୫ ଏବଂ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ମାଟିରେ ମିଶିଯାଇଛି ଛତିଶଗଡର ଏହି ଗରିବ ଝିଅ ଅଞ୍ଜଳୀର ଘର । ବର୍ଷାର ତାଣ୍ଡବ ପରେ ଉଜୁଡିଯାଇଥିବା ଘର ଆଉ ବର୍ଷାରେ ଭାସିଯାଇଥିବା ଭବିଷ୍ୟତକୁ ଦେଖି ବାହୁନି ବାହୁନି କାନ୍ଦୁଛି ଅଞ୍ଜଳୀ ।

ଆଉ ଗରିବ ଝିଅଟିର ଦୁଃଖ ଯନ୍ତ୍ରଣାର ସ୍ୱର ସୋନୁଙ୍କ କାନରେ ପଡିବା ପରେ ସାହାଯ୍ୟର ହାତ ବଢାଇଛନ୍ତି ସୋନୁ । ସୋନୁ କହିଛନ୍ତି, ‘ଭଉଣୀ, ତୁମେ ଆଖିରୁ ଲୁହ ପୋଛିଦିଅ, ଏବେ ବହି ବି ନୂଆ ଆସିବ ଆଉ ଘର ବି ନୂଆ ତୋଳାହେବ ।’ ରକ୍ତର ସମ୍ପର୍କ ନଥିଲେ ବି ଘର ଭାଙ୍ଗିଯାଇଥିବା ଜଣେ ଗରିବ ଭଉଣୀଙ୍କୁ ଘରଟିଏ କରିଦେବା ପାଇଁ ଭରସା ଦେଇଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ଆଉ ଭବିଷ୍ୟତ ଗଢିବାକୁ ନୂଆ ବହି କିଣିଦେବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି ।

ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ସୋନୁ ସୁଦ୍ । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟି ଯାଇଛନ୍ତି ରିଅଲ୍ ଲାଇଫର ହିରୋ । ଯିଏବି ସୋନୁଙ୍କ କାହାଣୀ ଶୁଣୁଛି, ସିଏ କହୁଛି ସଲାମ୍ ସୋନୁ ।