ବଢିବ ଶୀତ : ୪ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ; ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

121

କନକ ବ୍ୟୁରୋ : ଡିସେମ୍ବର ୯ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ‌ସେଭଳି କୌଣସି ପରିବର୍ତ୍ତନ ହେବନି। ପାଗ ମୁଖ୍ୟତଃ ଶୁଖିଲା ରହିବ। କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ । ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପରିମାଣ ଏତେ ହେବ ଯେ ରାସ୍ତାଘାଟ ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ । ୫ରୁ ୭ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଶନିବାର ସକାଳଳେ ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଘନ କୁହୁଡ଼ି ହେବ। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶା ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହୋଇପାରେ। ୬ ତାରିଖରେ କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ କଟକରେ ଘନ କୁହୁଡ଼ି ଏବଂ ଉତ୍ତର ଉପକୂଳ ଓଡ଼ିଶା, କଳାହାଣ୍ଡି, ମୟୂରଭଞ୍ଜ, ଖୋର୍ଧା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ହୁଲୁକା କୁହୁଡ଼ି ପଡ଼ିବ। ୭ ତାରିଖରେ ସୁନ୍ଦରଗଡ଼, ‌କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବା ବେଳେ ଉତ୍ତର ଉପକୂଳ ଓଡ଼ିଶା, ଖୋର୍ଧା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକା କୁହୁଡ଼ି ହେବା ନେଇ ଆକଳନ ହୋଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୪ଡିଗ୍ରୀ ରେକର୍ଡ କରାଯାଇଛି। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୯, ଅନୁଗୁଳ ଓ ଫୁଲବାଣୀରେ ୧୦, ଭବାନୀପାଟଣାରେ ୧୦.୮, ଝାରସୁଗୁଡ଼ାରେ ୧୧.୮, ତାଳଚେରରେ ୧୨, କେନ୍ଦୁଝରରେ ୧୨.୮, ସୁନ୍ଦରଗଡ଼ରେ ୧୩, ବଲାଙ୍ଗୀର ଓ କୋରାପୁଟରେ ୧୩.୨, ବୌଦ୍ଧରେ ୧୩.୫, ବାରିପଦାରେ ୧୪, ହୀରାକୁଦରେ ୧୪.୧, ଟିଟିଲାଗଡ଼ ଓ ସମ୍ବଲପୁରରେ ୧୪.୨ ଡିଗ୍ରୀ ରହିଥିଲା।