ଶୀତ ସହ ମିତ ବସିଛି କନ୍ଧମାଳ । ଗରମ ଚା’ ପିଉଛି, କାଠ ଜାଳି ନିଆଁ ପୁଉଁଛି…

160

କନକ ବ୍ୟୁରୋ: ଏ ଦୃଶ୍ୟ ହିଁ ବୟାନ କରୁଛି ଶୀତ ଆସିଲାଣି ବୋଲି । ଖାଲି ଦେହ ଥରିଲେ କି ଦେହରେ ସ୍ୱେଟର ପଡିଲେ ଶୀତ ଆସିଛି ବୋଲି କୁହା ଯାଇପାରିବନି ବରଂ କାଠ ଜାଳି ନିଆଁ ପୁଆଁ ହେଲେ ହିଁ ଶୀତର ଅସଲ ଚିତ୍ର ସାମ୍ନାକୁ ଆସେ । ଟକମକ ଫୁଟୁଥିବା କେଟିଲରୁ ଚା ପିଇ ଥରିଲା ଓଠକୁ ଉଷୁମ ଦେଲେ ହିଁ ଶୀତ ଆସିଛି ବୋଲି ଅନୁଭବ ହୁଏ । ନିଦଭରା ଶୀତୁଆ ସକାଳରେ ସୂରୁଜ ଟିକେ ଡେରି କରି ଉଇଁଲେ ଜାଣିବ, ସୂର୍ଯ୍ୟ ଆକାଶ ଛାତିରେ ଅଳସଟେ ଭାଙ୍ଗି ହାତରେ କପେ ଚା ଧରି ଧିରେଧିରେ ଆସୁଛନ୍ତି ବୋଲି…

ସହରର ଶୀତ ହେଉ କି ଗାଁର ଶୀତ – ଶୀତ ମାନେ ହିଁ ଗୋଟେ ସୁନ୍ଦର ଅନୁଭୂତି । ଶୀତ ମାଟିକୁ ଛୁଇଁଲେ ମତୁଆଲା ହୁଏ ମନ, ଶୀତ ପବନକୁ ଛୁଇଁଲେ ମହୁଆ ହୁଏ ଦେହ । ଦେଶିଆ ଶୀତରେ ଦିହ ଥରିଗଲେ ଛାଏଁ ଟାଙ୍କୁରିଯାଏ ଲୋମକୂପ । ଗାଁରେ ଶୀତ ଗୋଟେ ଶାସ୍ତି ସତ ହେଲେ ସେ ଶାସ୍ତି ବି ଆଣିଦିଏ ଗୋଟେ ସ୍ମୃତି ।

ଗତ କିଛି ଦିନ ହେଲା କନ୍ଧମାଳରେ ଜାରି ରହିଛି ଶୀତର ଲହରୀ । ସପ୍ତାହେ ହେଲାଣି ଏହି ଶୀତ ଲହରୀ ଜରି ରହିଛି । କନ୍ଧମାଳରେ ପାରଦ ତଳ ମୁହଁ ହୋଇଛି । ପ୍ରବଳ ଶୀତ ସହିତ ଘନ କୁହୁଡି ରହୁଥିବାରୁ ଜାଡ ମାଡରେ ଜିଲ୍ଲା ଥରହର ହେଉଛି । ଗତ କିଛି ଦିନ ହେଲା ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ ତଳେ ହିଁ ରହୁଛି ।

ଦାରିଙ୍ଗବାଡି ଠାରୁ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । କୁହୁଡି ଯୋଗୁଁ ଗାଡି ଚଳାଚଳରେ ଅସୁବିଧା ହେଉଛି । ତେବେ ଶୀତର ପହିଲି ସ୍ପର୍ଶ କନ୍ଧମାଳକୁ ଆନମନା କରିଥିବା ବେଳେ ଶୀତର ମୁକାବିଲା ଏବଂ ଶୀତର ମଜା ଉଠାଇବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି ।