ବୁଧବାରଠୁ ସଂସଦର ଶୀତକାଳୀନ ଅଧିବେଶନ : କ’ଣ ରହିବ କଂଗ୍ରେସର ଆଭିମୁଖ୍ୟ ରଣନୀତି ପ୍ରସ୍ତୁତ

61

କନକ ବ୍ୟୁରୋ : ଆସନ୍ତା ବୁଧବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଶୀତ ଅଧିବେଶନରେ ଦଳର ରଣନୀତି କ’ଣ ରହିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । ଏବଂ ଅଧିବେଶନରେ ଦଳ କେଉଁ ସବୁ ପ୍ରସଙ୍ଗ ଉଠାଇବ ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । କଂଗ୍ରେସ ଶୀତ ଅଧିବେଶନରେ ଗୃହରେ ମୋଟ୍ ୧୪ଟି ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛି ।

ଯେଉଁଥିରେ ଦରବୃଦ୍ଧି, ବେକାରୀ ସମସ୍ୟା, ଚୀନ୍ ସହ ସୀମା ବିବାଦ ଏବଂ ବିଚାରପତି ନିଯୁକ୍ତିକୁ ନେଇ ନିକଟରେ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବୋଲି ସୂଚନା ରହିଛି । ସେହିପରି କଂଗ୍ରେସ କୃଷି ଉତ୍ପାଦ ପାଇଁ ଏମ୍ଏସ୍ପି ପ୍ରସଙ୍ଗରେ ଆଲୋଚନା କରିବ । ସେହିପରି ଇଡବ୍ଲ୍ୟୁଏସ କୋଟା ଏବଂ ନିକଟରେ ଦିଲ୍ଲୀ ଏମ୍ସରେ ହୋଇଥିବା ସାଇବର ଆକ୍ରମଣ ସଂକ୍ରାନ୍ତରେ ମଧ୍ୟ କଂଗ୍ରେସ ସରକାରକୁ ଘେରିବାକୁ ସ୍ଥିର କରିଛି । ତେବେ ଗୃହରେ ନିହାତି ଆବଶ୍ୟକ ନହେବା ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି କରାଯିବନାହିଁ ବୋଲି କଂଗ୍ରେସ ବୈଠକରେ ନିଷ୍ପତ୍ତି ନିଆଯାଇଛି ।