କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । କରୋନା ସମୟରେ ଅଧିବେଶନ ବସୁଥିବାରୁ, କଟକଣା ଭିତରେ ଗୃହ ଚାଲିବ । ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପରେ ଆଗତ ହେବ ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟ୍ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ବିଧାନସଭାରେ ୧୦ଟି ବିଲ୍ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ଭିତରୁ ତିନୋଟି ଅଧାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ ବିଲ୍ ଆଣିବାକୁ ମଧ୍ୟ ସରକାର ଯୋଜନା କରିଛନ୍ତିି ।

Advertisment

ଏଥିସହ ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିିଛନ୍ତି ବିରୋଧୀ । ଓଡିଶା ସୀମା ବିବାଦ ପ୍ରସଙ୍ଗ, ରାଜ୍ୟରେ ଧାନ ବିକ୍ରି ସମସ୍ୟା, ହାଜତ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା ବନାଇଛନ୍ତି ।

ଉଭୟ ବୀରମିତ୍ରପୁର ଏବଂ ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ, କଟକରେ ଲୁଟ୍, ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୁଲିସ ବିରୋଧରେ ହାଇକୋର୍ଟଙ୍କ ଅସନ୍ତୋଷ, ବଲାଙ୍ଗୀର ଜିଲ୍ଲାରେ ଏକାଥରକେ ୬ଜଣଙ୍କୁ ହତ୍ୟା, ସର୍ବୋପରି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ଜଣେ ବିଜେଡି ସମର୍ଥିତ ସରପଞ୍ଚ ଜଣେ ମହିଳାଙ୍କୁ ପକ୍କା ଘର ଭଳି ସରକାରୀ ସହାୟତା ପାଇଁ ଶାରୀରିକ ସଂପର୍କ ରଖିବା ଲାଗି ସର୍ତ୍ତ ରଖିବା ଭଳି ଘଟଣାକୁ ବିରୋଧୀ ଏକାଠି କରି ସରକାରଙ୍କୁ ଅକଳରେ ପକାଇବା ଲାଗି ଯୋଜନା କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ବେକାରି ଠାରୁ ଆରମ୍ଭ କରି ଧାନକିଣା ଅବ୍ୟବସ୍ଥା ଭଳି ଅନେକ ପ୍ରସଙ୍ଗ ଏହି ଅଧିବେଶନରେ ଆଣିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି। ସରକାର ମଧ୍ୟ ୧୦ଟି ବିଲ୍ ଆଣୁଥିବାରୁ ଅଧିବେଶନ ବେଶ୍ ପ୍ରଭାବୀ ରହିବ ‌ବୋଲି କୁହାଯାଉଛି।

ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ହେବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ସମେତ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ, କାର୍ତ୍ତିକେଶ୍ବର ପାତ୍ର ଓ ସହିଦ୍ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶୋକପ୍ରସ୍ତାବ ଆସିବ। ପୂର୍ବତନ ବାଚସ୍ପତିଙ୍କ ବିୟୋଗ କାରଣରୁ ଗୃହରେ ଶୋକପ୍ରସ୍ତାବ ପରେ ପ୍ରଥମାର୍ଧ ଅଧିବେଶନକୁ ମୁଲତବୀ କରାଯାଇପାରେ।