ଡିସେମ୍ବର ୧ରୁ ଶୀତକାଳୀନ ଅଧିବେଶନ : ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଗୃହ

ଆଗତ ହେବ ୨୦୨୧-୨୨ର ଅତିରିକ୍ତ ବଜେଟ୍

62

କନକ ବ୍ୟୁରୋ : ଡିସେମ୍ବର ୧ରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ । ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟଦିବସ ଏବଂ ୫ଟି ଛୁଟି ରହିଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ନେଇ ସୂଚନା ଦେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଶୀତକାଳୀନ ଅଧିବେଶନ ବେଳେ ସରକାର ଗୃହରେ ଅତିରିକ୍ତ ବଜେଟ୍ ଆଗତ କରିବେ । ଏ ନେଇ ଡିସେମ୍ବର ୭, ୮ ଏବଂ ୯ ତାରିଖ ଦିନ ବଜେଟ୍ ଉପରେ ଆଲୋଚନା ହେବ ।

୧୦ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ଆଗତ ହୋଇ ଅତିରିକ୍ତ ବଜେଟ୍‌ ଗୃହୀତ କରାଯିବ । ଡିସେମ୍ବର ୧୧ରୁ ୩୧ ତାରିଖ ଯାଏ ଅଫିସିଆଲ୍‌ ବିଜ୍‌ନେସ୍‌ ରଖାଯାଇଛି । ତାହା ମଧ୍ୟରୁ ୧୭, ୨୪ ଓ ୨୯ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ବିଜ୍‌ନେସ୍‌ ରଖାଯାଇଛି । ଡିସେମ୍ବର ୫, ୧୨, ୧୯ ଓ ୨୬ ତାରିଖରେ ରବିବାର ଏବଂ ୨୫ ତାରିଖରେ ବଡ଼ ଦିନ ପାଇଁ ଗୃହ କାର୍ଯ୍ୟ ହେବ ନାହିଁ । ଗୃହ ବସିଲେ ମମିତା ହତ୍ୟା, ରାଜ୍ୟର ଆଇନ ଶୃଙ୍ଖଳା, ଫସଲ ନଷ୍ଟକୁ ପ୍ରମୁଖ ପ୍ରସଙ୍ଗ କରି ବିରୋଧୀ ସରକାରଙ୍କୁ ଘେରିପାରନ୍ତି । ଅନ୍ୟପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଥିବା ସୂଚନା ରହିଛି । ଗୋଟିଏ ବର୍ଷରେ ମୋଟ୍ ୬୦ଟି କାର୍ଯ୍ୟଦିବସ ରହିଛି । ଏବେ ସୁଦ୍ଧା ୨୬ ଦିନ ବାକି ରହିଛି ।

ବିଧାନସଭା ଅଧିବେଶନ ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ୬୦ ଦିନ ବସିବାର ନିୟମ ରହିଛି । ଚଳିତ ବର୍ଷ ବଜେଟ୍‌ ଓ ମୌସୁମୀ ଅଧିବେଶନ ମୋଟ୍ ୩୪ଟି କାର୍ଯ୍ୟଦିବସ ସରିଛି । ତେଣୁ ଶୀତ ଅଧିବେଶନରେ ଆଉ ୨୬ ଦିନ ଗୃହ ଚାଲିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି । ତେବେ ୧୦ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ ହେଲା ପରେ ଗୃହ ଅଧିବେଶନ ଶେଷ ପର୍ଯ୍ୟନ୍ତ ଚାଲିବ ନା ଅଧାରୁ ମୁଲତବୀ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏବଂ ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିଥିବାରୁ ଶୀତ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି । ଦୁଇ ବିରୋଧୀ ଦଳ ରାଜରାସ୍ତାରେ ସରକାରଙ୍କୁ ଜୋର୍‌ଦାର ଘେରୁଥିଲା ବେଳେ ବିଧାନସଭା ଅଧିବେଶନରେ ସୁଯୋଗକୁ କଦାପି ହାତଛଡ଼ା କରିବେ ନାହିଁ । ବିରୋଧୀଙ୍କୁ ମୁକାବିଲା କରିବାକୁ ଶାସକ ଦଳ କି ରଣନୀତି କରୁଛି, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।