ଶୀତକାଳୀନ ଅଧିବେଶନ ଆଗରୁ ଆଜି ବସୁଛି ସର୍ବଦଳୀୟ ବୈଠକ: ବିଧାନସଭାରେ ଶପଥ ନେଲେ ୨ ନୂଆ ବିଧାୟକ

ସେପଟେ ଆଜି ଦ୍ୱିତୀୟ ଦିନରେ ବିଧାୟକଙ୍କ ହେଲା କରୋନା ଟେଷ୍ଟ

75

କନକ ବ୍ୟୁରୋ: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବଶେନ । ଏଥିପାଇଁ ଆଜି ବସିଛି ସର୍ବଦଳୀୟ ବୈଠକ । ସକାଳ ୧୧ ଟାରେ ଏହି ବୈଠକ ବସିଛି । ବିଧାନସଭା ଶୀତ କାଳିନ ଅଧିବେଶନ କିପରି ହେବ, ପରିଚାଳନା କିପରି ହେବ , ସେ ସମ୍ପର୍କରେ ଆଲୋଚନା ହେବ । ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହରେ ପ୍ରଶ୍ନୋତର ହେବ ନା ନାହିଁ  ସେ ନେଇ ମତାମତ ନିଆଯିବ ।

ବିଧାନସଭା ଅଧିବେଶନ ୨୦ ତାରିଖରୁ ଆରମ୍ଭ ହେବ । ଏହାପୂର୍ବରୁ ଆଜି ବିଧାନସଭାର ସଭ୍ୟ ଭାବେ ଶପଥ ନେଇଛନ୍ତି ବାଲେଶ୍ୱର ଓ ତିର୍ତ୍ତେଲାର ଦୁଇ ନବନିର୍ବାଚିତ ବିଧାୟକ । ବିଧାନସଭା ପ୍ରକୋଷ୍ଠରେ ସ୍ୱରୂପ ଦାସ ଓ ବିଜୟ ଶଙ୍କର ଦାସକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି  ସୂର୍ଯ୍ୟନାରାୟଣ ପାତ୍ର । ୩ ତାରିଖରେ ହୋଇଥିବା ଦୁଇଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଥିଲା ।

ସେହିପରି ବିଧାନସଭା ପରିସରରେ କରୋନା ପରୀକ୍ଷାର ଆଜି ଦ୍ୱିତୀୟ ଦିନ । ମନ୍ତ୍ରୀ, ବିଧାୟକ, ମନ୍ତ୍ରୀଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ କରୋନା ଟେଷ୍ଟ ହେଉଛି । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଗତକାଲି ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ  କରୋନା ପରୀକ୍ଷା କରାଯାଇଥିଲା । ଏହି ଟେଷ୍ଟ ୩ ଦିନ ଧରି ଚାଲିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ । ଶୀତ ଅଧିବେଶନରେ ଯୋଗଦେବା ପୂର୍ବରୁ ଏଭଳି ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।