ଛାଡ଼ିଗଲା ଲଘୁଚାପ ବର୍ଷା । ୨୨ରୁ ପଡ଼ିବ ଶୀତ ।

240

କନକ ବ୍ୟୁରୋ : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଏବେ ଜାରି ରହିଛି । ଏହି ଧାରା ଅବ୍ୟାହତ ରହିଲେ ଆସନ୍ତା ଅକ୍ଟୋବର ୨୩ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ବିଦାୟ ନେଇଯିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି ।

ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇ ଦୁଇଟି ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ୫ଦିନ ଧରି ବର୍ଷା ଲାଗି ରହିବା ପରେ ରାଜ୍ୟ ଉପରେ ଏବେ ଆଉ ବର୍ଷାର ପ୍ରଭାବ ନାହିଁ । ଆଜି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତର ଜିଲ୍ଲାର କାଁ ଭାଁ ସ୍ଥାନରେ ପାଗ ମେଘୁଆ ରହିଛି । ଏବଂ କିଛି ସ୍ଥାନରେ ସାମାନ୍ୟରୁ ହାଲୁକା ବର୍ଷା ମଧ୍ୟ ହୋଇପାରେ । ତେବେ, ଆସନ୍ତାକାଲି ଠାରୁ ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ । ୨୧ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଗଞ୍ଜାମ ଓ ଗଜପତିରେ ୨୫ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି । ଅପରପକ୍ଷେ ରାଜ୍ୟର ତାପମାତ୍ରା ମଧ୍ୟ ଧୀରେଧୀରେ କମିବା ଆରମ୍ଭ କରିବ । ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି ।

୨୫ ତାରିଖରୁ ରାଜ୍ୟ ମଧ୍ୟକୁ ଜମ୍ମୁ-କଶ୍ମୀର ଅଞ୍ଚଳରୁ ଉତ୍ତରା ପବନ ବହିବା ଆରମ୍ଭ ହେବ । ଏଣୁ ୨୬ ତାରିଖରୁ ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ । ୨୬ ରୁ ୨୮ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨.୫ ଡିଗ୍ରି କମିବ । ତେବେ ୨୨ ତାରିଖରୁ ରାଜ୍ୟର ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ୧.୯ରୁ ୧.୫ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ହାଲୁକା ଶୀତ ଅନୁଭୂତ ହେବ ।