କୋରାପୁଟରେ ଆସର ମେଲାଇଛି ଅଳସୀ: ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଏହି ଫୁଲ

90

କନକ ବ୍ୟୁରୋ: କୋରାପୁଟର ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ନିଜ ପାଖରେ ଅଟକାଇ ଦେଉଛି । ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ଼ । ଆଉ ଏସବୁ ଭିତରେ ଅଳସୀ ଫୁଲରେ ସୁର୍ଯ୍ୟଙ୍କ ପହିଲି କିରଣ ସମସ୍ତଙ୍କୁ ମତୁଆଲା କରୁଛି । ପର୍ଯ୍ୟଟକ ହୁଅନ୍ତୁ ବା ପଥଚାରୀ ଏହି ଅଳସୀ ଫୁଲର ଅପୂର୍ବ ସମ୍ଭାରକୁ ଦେଖି ଟିକିଏ ଅଟକି ଯାଉଥିବା ବେଳେ କବିଙ୍କ ଲେଖନିକୁ ଶବ୍ଦ ଯୋଗାଉଛି ଏହି ସୁନ୍ଦର ପରିବେଶ ।

ଫେରି ଯାଇଛି ବର୍ଷା, ଆସିଛି ଶୀତ । ଶୀତୁଆ ସକାଳେ କୁହୁଡ଼ିର ଧଳା ଚାଦର କୋରାପୁଟକୁ ଘୋଡ଼ାଇ ଦେଉଛି । ଆଉ ଏହାରି ଭିତରେ ଆଖି ଯୁଆଡେ ଯାଉଛି, ଦେଖିବାକି ମିଳୁଛି ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପୁରା ପରିବେଶକୁ ମନଲୋଭା କରୁଛି । ଅଳସ ଭାଙ୍ଗୁଥିବା ଅଳସୀର ସୌନ୍ଦର୍ଯ୍ୟରେ ଥରେ ହଜି ଯିବା ପାଇଁ କୋରାପୁଟକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ ।

କୋରାପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ପାହାଡି ଇଲାକାର ସୁନ୍ଦର ପରିବେଶ ବର୍ଷ ସାରା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । କିନ୍ତୁ ଶୀତ ଦିନ କୋରାପୁଟ ଅଧିକ ସୁନ୍ଦର ହୋଇଯାଏ । କବି ଓ ଲେଖକଙ୍କ ଲେଖନୀକୁ ଶବ୍ଦ ଯୋଗାଏ ।

ସବୁ ଶୀତ ଦିନେ କୋରାପୁଟ କ୍ଷେତରେ ଅଳସୀ ଫୁଲ ଅଳସ ଭାଙ୍ଗେ । ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରରୁ କୋରାପୁଟକୁ ଆସୁଥିବା ପର୍ଯ୍ୟଟକଙ୍କୁ ଭରପୁର ମନୋରଂଜନର ଖୋରାକ୍ ଯୋଗାଇଥାଏ ।