ସକାଳର ସବାରୀରେ ଶୀତ ଆସିଛି ସୋନପୁର… ଶୀତ ଏଠି ଚା’ ପିଉଛି, କୁହୁଡି ଏଠି କବିତା ଲେଖୁଛି… ସୁବର୍ଣ୍ଣପୁରର ଶୀତଳ ସ୍ପର୍ଶ ଭାରି ରୋମାଣ୍ଟିକ ରୋମାଣ୍ଟିକ ଲାଗୁଛି…

ଏଠି ଚା ପିଏ ଶୀତ, ଧାନ ବିଲରେ ଧାଉଁଥାଏ ଶୀତ... ଶୀତ ବି ବୁଣେ ବୁଢୀଆଣିର ଜାଲ । ଆଉ କାକର କାଖେଇ କଙ୍କିଟିଏ ଏଠି ଲେଖୁଥାଏ ଶୀତର କବିତା । ଶୀତ ଗାଉଥାଏ, ଶୀତ ନାଚୁଥାଏ, ମହାନଦୀର କୂଳେ କୂଳେ ଶୀତ ସହର ମୁହାଁ ହେଉଥାଏ...

645

କନକ ବ୍ୟୁରୋ: ଶୀତ କଥା ଶୁଣିଲେ ଦେହ ଖୋଜେ ସ୍ୱେଟର, ଓଠ ଖୋଜେ ଉଷୁମା ଚା । ଆଖି ସାମ୍ନାରେ ନାଚି ଯାଏ ଗୋଟେ କୁହୁଡିଆ ଆକାଶ, ଆଉ କାକର ଭିଜା ଶୀତୁଆ ସକାଳ । ଶୀତକୁ ନେଇ କେତେ କେତେ କଥା, କେତେ କେତେ ସାଇତା ସ୍ମୃତି । ଶୀତ ସିନା ସମାନ ହେଲେ ସ୍ମୃତି କିନ୍ତୁ ଅଲଗା ଅଲଗା । ଏଇ ଯେମିତି ସୋନପୁରରେ ଶୀତ ଭାରି ରୋମାଣ୍ଟିକ, ଭାରି ସୁନ୍ଦର…

ଏଠି ଚା ପିଏ ଶୀତ, ଧାନ ବିଲରେ ଧାଉଁଥାଏ ଶୀତ… ଶୀତ ବି ବୁଣେ ବୁଢୀଆଣିର ଜାଲ । ଆଉ କାକର କାଖେଇ କଙ୍କିଟିଏ ଏଠି ଲେଖୁଥାଏ ଶୀତର କବିତା । ଶୀତ ଗାଉଥାଏ, ଶୀତ ନାଚୁଥାଏ, ମହାନଦୀର କୂଳେ କୂଳେ ଶୀତ ସହର ମୁହାଁ ହେଉଥାଏ…

ସୋନପୁର ମାଟିରେ ପହିଲି ପାଦ ଥାପିଛି ଶୀତ । ସିନ୍ଦୁରା ଫାଟି ସକାଳ ହେବା ପରେ ସୂର୍ଯ୍ୟଙ୍କ ରକ୍ତିମ ଆଭାରେ ଚତୁର୍ଦ୍ଦିଗ ଚମକ୍ରାର ଦିଶୁଛି ଆଉ ଶୀତୁଆ ସକାଳର କଅଁଳ କିରଣ ମହାନଦୀ ପାଣିରେ ମାଛ ପରି ପହଁରୁଛି ଯାହାକୁ ଜାଲ ପକାଇ ଧରିବାକୁ ଚେଷ୍ଟା କରୁଛନ୍ତି ମତ୍ସ୍ୟଜୀବୀ । ଜୀବୀକା ଭିତରେ ଜୀବନକୁ ଉପଭୋଗ କରିବାକୁ ଏଠି ମତ୍ସ୍ୟଜୀବୀ ସୂର୍ଯ୍ୟଙ୍କ ସୁନେଲି କିରଣ ଧରିବାକୁ ଆହୁଲା ମାରି ଆଗକୁ ଯାଉଛି ।

ନଦୀର ସହର ସୁବର୍ଣ୍ଣପୁରକୁ ଶୀତ ଅତିଥି ହୋଇ ଆସିଥିବା ତାକୁ ସ୍ୱାଗତ କରିଛନ୍ତି ସମସ୍ତେ । କିଏ କମ୍ବଳ ଭିତରେ ଉଷୁମ ଟାଣି ୱେଲକମ୍ କହିଛି ତ କିଏ କୁହୁଡି ସହ ହାତ ମିଳାଇ ଶୀତକୁ ସ୍ୱାଗତମ୍ କହିଛି । ସକାଳେ ସକାଳେ ଘନ କୁହୁଡିରେ ରାସ୍ତାଘାଟ କିଛି ଦିଶୁ ନଥିବା ବେଳେ କୁହୁଡିଆ ରାସ୍ତାରେ କସରତ କରି ଝାଳ ବୁହାଉଛନ୍ତି ଯୁବପିଢି । ଶରୀର ଓ ମନକୁ ସୁସ୍ଥ ରଖିବାକୁ ମର୍ଣ୍ଣିଂ ୱାକ୍ ସହ ଶୀତ ସ୍ପର୍ଶ ସକାଳରେ ଶାନ୍ତି ପାଇବାକୁ ଘରୁ ବାହାରି ଆସୁଛନ୍ତି ଲୋକେ ।

ଶୀତର ଆଗମନୀରେ ସୋନପୁର ସହରରେ କୁହୁଡିର ଭିଡ, ଚାରିଆଡେ ଧୂଆଁଳିଆ ପରିବେଶ । ଘାସ ଗାଲିଚାରେ କାକର ଟୋପା ଟୋପା ବିନ୍ଦୁ, ରଙ୍ଗବେରଙ୍ଗର ଫୁଲେଇ ଫୁଲର ମୁହଁରେ ମୋତିର କାକର ବିନ୍ଦୁ ପ୍ରକୃତି ଓ ପରିବେଶର ସୁନ୍ଦରତାକୁ ଦ୍ୱିଗୁଣିତ କରୁଥିବା ବେଳେ ଗଛ ଡାଳରେ ବସି ଚଢେଇ ଗାଉଛି ସ୍ମୁତିର ସଙ୍ଗୀତ । ହଁ, ଶୀତ ସ୍ମୃତି ହୋଇଯିବ… ଫି ବର୍ଷ ସ୍ମୃତି ପାଲଟୁଛି ଏଶନ ବି ସ୍ମୃତି ସାଜିବ… ଆଉ ବସନ୍ତର ବହିରେ ଶୀତର ସ୍ମୃତି ଶୀତୁଆ ସକାଳର କଅଁଳ ଖରାର ତାତି ହୋଇ ରହିଯିବ…