କନକ ବ୍ୟୁରୋ: ବେଶ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ । ଉପକୂଳରୁ ଉପାନ୍ତ ସବୁଠି ପାରଦ ଖସିଛି । ସଂଜ ନଇଁଲେ ଶୀତର ପ୍ରକୋପ ବାରି ହୋଇପଡୁଛି । ଆସନ୍ତା ଦିନେ ଦୁଇ ଦିନ ଭିତରେ ଆହୁରି ଦୁଇରୁ ତିନି ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କେତେକ ଜିଲ୍ଲାରେ ହାଲୁକା କୁହୁଡି ଜାରି ରହିବ । ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହୋଇପାରେ । ଦାରିଂବାଡିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୭ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଥିବା ସୂଚନା ମିଳିଛି ।
ଆସନ୍ତା ୩ରୁ ୪ ଦିନ ଭିତରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କେତେକ ଜିଲ୍ଲାରେ ହାଲୁକା କୁହୁଡି ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ଆଜି ଭୁବନେଶ୍ବର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ଦାରିଙ୍ଗବାଡ଼ି ତାପମାତ୍ରା ବି ୭ ଡିଗ୍ରିକୁ ଖସି ଆସିବାର ସମ୍ଭାବନା ରହିଛି। ଉତ୍ତରା ପବନ ହେଉଥିବାରୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି।
ରାଜଧାନୀରେ ଚଳିତ ସପ୍ତାହରେ ଶୀତର ପ୍ରକୋପ ବଢିଛି । ସଂଜ ନଇଁଲେ ପାରଦ ଖସୁଛି, ରାତି ବଢିଲେ ଶୀତ ଥରାଇ ଦେଉଛି । ଶୀତ ବଢିଥିବା ବେଳେ ରାଜଧାନୀରେ ଶୀତ ବସ୍ତ୍ରର ବେପାର ମଧ୍ୟ ଜୋରସୋରର ଚାଲିଛି । ଭଳିକି ଭଳି ଶୀତ ବସ୍ତ୍ରର ପସରା ମେଳି ଦେଇଛନ୍ତି ଦୋକାନୀ । ବିଶେଷ କରି ନେପାଲରୁ ଶୀତବସ୍ତ୍ର ବ୍ୟବସାୟ କରୁଥିବା ବେପାରୀଙ୍କ ଷ୍ଟଲ ଆଗରେ ବଢୁଛି ଗ୍ରାହକଙ୍କ ଭିଡ । ତେବେ ଚଳିତ ବର୍ଷ ଓଡିଶାରେ ଡେରିରେ ଶୀତ ଆରମ୍ଭ ହୋଇଥିବାରୁ ବ୍ୟାବସାୟ ଧିମା ଥିବା କହିଛନ୍ତି ବ୍ୟବସାୟୀ ।