ଶୀତଦିନରେ ଶିଶୁଙ୍କ ରୋଗ ଓ ଲକ୍ଷଣ : ଜାଣନ୍ତୁ କେମିତି ରଖିବେ ସୁରକ୍ଷିତ ?

160

କନକ ବ୍ୟୁରୋ : କରୋନା ସଂକ୍ରମଣର ହାର ଟିକିଏ ହ୍ରାସ ପାଇବା ଦ୍ବାରା ଆମେ କିଛିଟା ଆଶ୍ବସ୍ତ ହୋଇଛୁ ସତ ହେଲେ ଶୀତର ପ୍ରକୋପ ଆମକୁ କିଛିଟା ସମସ୍ୟାରେ ପକାଇଛି । ଶୀତ ଋତୁ ସମୟରେ ଶିଶୁମାନଙ୍କ କ୍ଷେତ୍ରରେ କିଛି ରୋଗ ପ୍ରମୁଖ ସମସ୍ୟା ରୂପେ ଦେଖାଯାଏ । ଏହି ସମୟରେ ସାଧାରଣ ଥଣ୍ଡା-କାଶ, ବ୍ରୋଙ୍କିଓଲାଇଟିସ୍‌, ନିମୋନିଆ, ଫାରିଞ୍ଜାଇଟିସ୍‌, ଟନ୍ସିଲାଇଟିସ୍, ଆଜମା, ଲହରାକାଶ, ଇନଫ୍ଲୁଏଞ୍ଜା, ଭାଇରାଲ୍ ଡାଇରିଆ ଓ ଚର୍ମରୋଗ ଇତ୍ୟାଦି ହେବାର ଆଶଙ୍କା ରହିଥାଏ ।

ସାଧାରଣ ଥଣ୍ଡା ଏବଂ ଇନ୍‌ଫ୍ଲୁଏନ୍‌ଜାର ଲକ୍ଷଣ ଗୁଡ଼ିକ ହେଲା ନାକରୁ ପାଣି ବାହାରିବା, କାଶ ହେବା, ଦେହ ଗୋଡ଼ହାତ ଓ ମୁଣ୍ଡ ବିନ୍ଧା, ଜ୍ବର ହେବା । ଏହା ୫ରୁ ୭ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏହା ଭୂତାଣୁଜନିତ ହୋଇଥିବାରୁ ଆଣ୍ଟିବାୟୋଟିକ୍‌ର ଏହି ରୋଗରେ ଦରକାର ପଡ଼ିନଥାଏ । ବହୁକ୍ଷେତ୍ରରେ ଏହି ଲକ୍ଷଣଗୁଡ଼ିକର ଚିକିତ୍ସା ପାଇଁ ପାରାସିଟାମଲ୍ ଓ ଆଣ୍ଟି ହିଷ୍ଟାମିନିକ୍‌ସ୍‌ ବ୍ୟବହାର କରାଯାଏ । ଏହି ସମୟରେ ପିଲାର ନାକ ବନ୍ଦ ହେଉଥିଲେ ନାଜାଲ ଡ୍ରପ୍‌ ସହ ଶିଶୁକୁ ଅଧିକ ‌ପାଣି ପିଇବାକୁ ଦେବା କଥା । ଇନ୍‌ଫ୍ଲୁଏନ୍‌ଜାର ଟିକା ପ୍ରତିବର୍ଷ ଶିଶୁକୁ ଦେବା ଜରୁରୀ ।

ସେହିପରି ବ୍ରୋଙ୍କିଓଲାଇଟିସ୍‌ ମଧ୍ୟ ଏକ ଭୂତାଣୁ ଜନିତ ରୋଗ। ଏଥିରେ ଶିଶୁର ଶ୍ବାସନଳୀ ପ୍ରଭାବିତ ହୋଇଥାଏ । ଏହା ୨ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ କ୍ଷେତ୍ରରେ ବେଶୀ ଦେଖାଯାଏ । ଏଥିରେ ନାକରୁ ପାଣି ବାହାରିବା, ଛିଙ୍କ, କାଶ ଓ ଅଳ୍ପ ଜ୍ବର ହୋଇଥାଏ । କିଛିକ୍ଷେତ୍ରରେ ନିଶ୍ବାସ ନେବାରେ ଅସୁବିଧା ମଧ୍ୟ ହୋଇପାରେ । ଏମିତି ହେଲେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପଡ଼ିପାରେ ଏବଂ ଅକ୍ସି‌ଜେନ ମଧ୍ୟ ଦରକାର ହୁଏ ।

ଶୀତ ଦିନେ ଦେଖାଦିଏ କେଉଁ ରୋଗ ?

• ଶୀତଦିନେ ଛୋଟ ପିଲାଙ୍କୁ ସାଧାରଣ ଥଣ୍ଡା ହୋଇଥାଏ

• ଶୀତ ଦିନେ ଚର୍ମରୋଗ ମଧ୍ୟ ଦେଖିବାକୁ ମିଳିଥାଏ

ଶୀତଦିନିଆ ରୋଗର କାରଣ କଣ ?

• ସାଧାରଣ ଥଣ୍ଡା ଜ୍ୱର ଏକ ଭୂତାଣୁ ଜନିତ ରୋଗ

• ଏହା ଜଣକ ଠାରୁ ଅନ୍ୟ ଜଣକୁ ଆକ୍ରାନ୍ତ କରିଥାଏ

• ଛିଙ୍କ, କାଶ ହେଉଥିଲେ ମୁହଁ ଓ ନାକକୁ ଘୋଡାଇ ରଖନ୍ତୁ

• ଉଷୁମ ଖାଦ୍ୟ, ପାଣି, ଓଆରଏସ୍ ଭଲ ଭାବେ ପିଅନ୍ତୁ

କେମିତି ରହିବେ ସୁରକ୍ଷିତ ?

• ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ପ୍ରତିଷେଧକ ନେଇପାରିବେ

• ଶିଶୁକୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ

• ରୋଗ ପ୍ରତିରୋଧକ ଶକ୍ତି ବଢିଲେ, ଜ୍ୱରରୁ ସୁରକ୍ଷା ମିଳିବ

ସାଧାରଣ ଥଣ୍ଡା କେତେ ଭୟଙ୍କର ?

• ଶିଶୁ ଦେହରେ ବହୁତ ଜ୍ୱର ରହିଲେ, ବାନ୍ତି ହେଲେ…

• ନିଶ୍ୱାସ ନେବାବେଳେ ଧଇଁସଇଁ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

ଥଣ୍ଡାରୁ କେମିତି ରହିବେ ସୁରକ୍ଷିତ ?

• ଥଣ୍ଡାରୁ ବର୍ତ୍ତିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେବ

• ନିୟମିତ ମାସ୍କ ଓ ହାତକୁ ପରିଷ୍କାର ରଖନ୍ତୁ

• ମାକୁ ଥଣ୍ଡା ହେଲେ ପିଲାକୁ ମା’ ଠାରୁ ଦୂରରେ ରଖନ୍ତୁ ନାହିଁ

ଡାକ୍ତରଙ୍କ ପରାମର୍ଶ

• ଯଥାସମ୍ଭବ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ

• ଆଖପାଖରେ ଥଣ୍ଡା ରୋଗୀ ଥିଲେ ପିଲାକୁ ଦୂରେଇ ରଖନ୍ତୁ

• ନଖ ଉଷୁମ ପାଣିରେ ପିଲାଙ୍କୁ ବାରମ୍ବାର ପୋଛନ୍ତୁ