ଦଶହରା ପରେ ଶୀତ : ୨୬ ତାରିଖରୁ‌ ଲେଉଟିବ ଦକ୍ଷିଣ ପଶ୍ଚିମ ମୌସୁମୀ

1,111

କନକ ବ୍ୟୁରୋ : ଦଶହରା ପରେ ଓଡ଼ିଶାରେ ଶୀତ ପଡ଼ିବ । ରାତିର ସର୍ବନିମ୍ନ ତାପମାତ୍ରା କମିବା ସହ ହାଲୁକା ଥଣ୍ଡା ଅନୁଭୂତ ହେବ । ଉପକୂଳ ଓଡ଼ିଶା ତୁଳନାରେ ପଶ୍ଚିମ ଓଡ଼ିଶାରେ ଆଗୁଆ ଥଣ୍ଡା ଆସିବ । ତେ‌ବେ ବର୍ତ୍ତମାନ ସମୟରେ ଥଣ୍ଡାର ପ୍ରକୋପ ସେତେ ଅଧିକ ହେବ ନାହିଁ । ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ପଶୁପାଳକଙ୍କ ଆକଳନ ହେଉଛି ଯେ ୨୩ ତାରିଖ ପରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଓ ୨୫ ତାରିଖ ପରେ ସାରା ରାଜ୍ୟରେ ଉତ୍ତର ଭାରତରୁ ଶୁଷ୍କ ପବନ ଆସିବା ଆରମ୍ଭ କରିବ । ୨୭ ତାରିଖରେ ବଲାଙ୍ଗୀରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା କମିବାକୁ ଥିବା ବେଳେ ଭୁବନେଶ୍ୱରରେ ୨୯ ତାରିଖଠାରୁ ତାପମାତ୍ରା କମିବ। ଅନୁମାନ କରାଯାଉଛି ଯେ ୨୭ରୁ ୨୯ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ କମିବା ଯୋଗୁଁ ଥଣ୍ଡା ଅନୁଭୂତ ହୋଇପାରେ । ୨୬ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ତେବେ ଉପକୂଳ ଓଡ଼ିଶା ଛାଡ଼ିବାକୁ ଅକ୍ଟୋବର ମାସ ଶେଷ ହୋଇଯିବ। ୨୯ କିମ୍ବା ୩୦ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ୱାସଙ୍କ କହିବାନୁଯାୟୀ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ଛାଡ଼ିବା ଆରମ୍ଭ କରିବ । ଏଥିପାଇଁ ପାଗ ଅନୁକୂଳ ରହିଛି । ଯଦି ସବୁ କିଛି ଠିକ୍‌ ଠାକ୍‌ ରୁହେ ତେବେ ପ୍ରଥମେ ପଶ୍ଚିମ ଓଡ଼ିଶା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଆଦି ଜିଲ୍ଲାରୁ ମୌସୁମୀ ବା‌ୟୁ ପ୍ରତ୍ୟାବର୍ତ୍ତନ କରିବ ।