କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ କ୍ରିକେଟରେ ଟିମ୍ ଇଣ୍ଡିଆର ବିଜୟ ଧାରା ଜାରି । ନ୍ୟୁଜିଲାଣ୍ଡର ବିଜୟ ଧାରାରେ ବ୍ରେକ ଲଗାଇ ପଏଂଟ ଟେବୁଲର ଶୀର୍ଷରେ ରୋହିତ ବାହିନୀ । ଟିମ୍ ଇଣ୍ଡି ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍ରେ ହରାଇ ପଂଚମ ବିଜୟ ହାସଲ କରିଛି ଭାରତ । ଏଥିସହ ଭାରତ ଦୀର୍ଘ ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ବିଶ୍ୱକପ ମ୍ୟାଚ ଜିତି ପରାଜୟ ଧାରାକୁ ଭାଂଗିବାରେ ସକ୍ଷମ ହୋଇଛି । ଏହି ମ୍ୟାଚରେ ମହମ୍ମଦ ସାମିଙ୍କ ଦମଦାର ବୋଲିଂ ସହ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି ।

Advertisment

ଧର୍ମଶାଳାରେ ଖେଳା ଯାଇଥିବା ଏହି ମ୍ୟାଚରେ ବିରାଟ କୋହଲି ୯୫ ରନ କରିଥିଲେ । ୨୭୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଭାରତ । ପ୍ରଥମ ୱିକେଟ୍ ଯୋଡି ୭୧ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା କ୍ରିଜ୍ରେ ଜମି ଆସୁଥିବା ବେଳେ ଫର୍ଗୁସନ୍ଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ଶୁଭମନ୍ ଗିଲ୍ ୨୬ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ । ଶ୍ରେୟସ ଆୟାର ୩୩ ଓ କେଏଲ ରାହୁଲ ୨୭ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ମାତ୍ର ୨ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇ ଯାଇଥିଲେ । ସେତେବେଳେକୁ ଭାରତର ସ୍କୋର ଥିଲା ୫ ୱିକେଟ୍ରେ ୧୯୧ ରନ୍ । ତେବେ ବିରାଟ କୋହଲିଙ୍କ ସହ ରବୀନ୍ଦ୍ର ଜାଡେଜା ଯୋଗ ଦେଇ ବିଜୟ ଅଭିମୁଖେ ଭାରତକୁ ନେଇଥିଲେ । ଜାଡେଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଓ ବିରାଟ କୋହଲିଙ୍କ ଦର୍ଶନୀୟ ଇଂନିସ ଭାରତକୁ ସହଜ ବିଜୟ ଦେଇଥିଲା । କୋହଲି ୯୫ ରନ୍ କରିଥିବା ବେଳେ ଛକା ମାରିବାକୁ ଉଦ୍ୟମ କରି କ୍ୟାଚ୍ ଦେଇଥିଲେ । ତେବେ ସେତେବେଳକୁ ବିଜୟର ଦ୍ୱାରଦେଶରେ ପହଁଚି ସାରିଥିଲା ଭାରତ ।

ଅନ୍ୟପଟେ ରବୀନ୍ଦ୍ର ଜାଡେଜା ୩୯ ରନ କରି ଅପରାଜିତ ରହିଥିଲେ । ନୂଆ ବଲ୍ରେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଚମକ୍ରାର ବୋଲିଂ ଆରମ୍ଭ କରିଥିଲେ । ମହମ୍ମଦ ସାମି ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ । ୧୯ ରନ୍ କରିଥିବା ବେଳେ ଦୁଇ ଓପନରଙ୍କୁ ହରାଇଥିଲା ନ୍ୟୁଜିଲ୍ୟାଣ୍ଡ । ତେବେ ରାଚିନ୍ ରବୀନ୍ଦ୍ର ଓ ଡାରିଏଲ୍ ମିଚେଲ୍ ପାଳି ସମ୍ଭାଳିବା ସହ ଧୁଆଁଧାର ବ୍ୟାଟିଂ କରିଥିଲେ । ରାଚିନ୍ ରବୀନ୍ଦ୍ର ୭୫ ରନ୍ ଓ ଡାରିଏଲ୍ ମିଚେଲ୍ ୧୩୦ ରନ୍ କରି ବଡ଼ ସ୍କୋର ଆଡକୁ ନ୍ୟୁଜିଲ୍ୟାଣ୍ଡକୁ ନେଇଥିଲେ । ତେବେ ଏହି ଦୁଇ ଜଣଙ୍କ ଛଡ଼ା ନ୍ୟୁଜିଲ୍ୟାଣ୍ଡର ଅନ୍ୟ ବ୍ୟାଟର ଭାରତୀୟ ବୋଲିଂ ଆଗରେ ଆତ୍ମ ସର୍ମପଣ କରି ଦେଇଥିଲେ । ମହମ୍ମଦ ସାମି ୫ ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡକୁ ଅଟକାଇ ଥିଲେ । କୁଳଦୀପ ଯାଦବ ୨ଟି ୱିକେଟ୍ ନେଇଥିବା ବେଳେ ବୁମରା ଓ ସିରାଜଙ୍କୁ ଗୋଟିଏ ଲେଖାଁଏ ୱିକେଟ୍ ମିଳିଥିଲା । ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୩ ରନ୍ କରିବାକୁ ସମର୍ଥ ହୋଇଥିଲା ନ୍ୟୁଜିଲ୍ୟାଣ୍ଡ । କିଛି ସହଜ କ୍ୟାଚ୍ ଭାରତୀୟ ଫିଲ୍ଡର ହାତଛଡ଼ା କରିଥିବା ଦେଖିବାକୁ ମିଳିଥିଲା । ୫୪ ରନ୍ ଦେଇ ୫ଟି ୱିକେଟ ନେଇଥିବା ମହମ୍ମଦ ସାମିଙ୍କୁ ପ୍ଲେୟାର ଅଫ୍ ମ୍ୟାଚ୍ ଘୋଷଣା କରାଯାଇଥିଲା ।