ହେଲିକପ୍ଟର ଦୁର୍ଘଟଣାର ହୃଦୟ ବିଦାରକ କାହାଣୀ: ଆଉ ହେବନି ବୁଢବାପାର ଆଖି ଅପରେସନ, ପ୍ରତିଶ୍ରୁତି ଦେଇ ଚାଲିଗଲେ ୱିଙ୍ଗ କମାଣ୍ଡର ପୃଥୀ ସିଂ ଚୌହାନ

1,224

କନକ ବ୍ୟୁରୋ: ନିଜ ବାପାଙ୍କୁ ଶେଷ କଲ କରିଥିଲେ ବାୟୁସେନାର ୱିଙ୍ଗ କମାଣ୍ଡର ପୃଥୀ ସିଂ ଚୌହାନ । ଯିଏ କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ନିଜ ୭୫ ବର୍ଷିୟ ବୃଦ୍ଧ ବାପାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ । ଆଉ ଶୀଘ୍ର ଘରକୁ ଫେରିବେ ବୋଲି କହିବା ସହ ବାପାଙ୍କୁ ଆଖି ଅପରେସନ କରାଇବେ ବୋଲି ପ୍ରତିଶ୍ୃତି ଦେଇଥିଲେ । ହେଲେ ଏହି ପ୍ରତିଶ୍ୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଛି । କାରଣ ପୁଅ ଘରକୁ ଫେରିବ ନାହିଁ… ଘରକୁ ଫେରିବ ପୁଅର ମୃତ ଶରୀର ।

ଏ ହେଉଛି ଆଗ୍ରା ସ୍ଥିତ ପୃଥୀ ସିଂ ଘର । ଯେଉଁଠି ପୃଥୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ପଡୋଶୀଙ୍କ ଗହଳି ଲାଗିଥିଲା । ଆଉ ପୁଅର ମୃତ୍ୟୁ ଖବର ପାଇ ମାଆ ସତେ ଯେପରି ପାଗଳି ହୋଇଯାଇଛି । ଛୋଟ ପିଲାଙ୍କ ପରି ନିଜ ପୁଅ କଥା ମନେ ପକାଇ ବାହୁନି କାନ୍ଦୁଛି ମାଆ । ସେପଟେ କୋହରେ କଥା କହିପାରୁନି ବୁଢା ବାପା । ପୁଅ ଫେରିବ ବୋଲି ଦେଇଥିବା ପ୍ରତିଶ୍ୃତିକୁ ମନେ ପକାଇ ଆଖିରୁ ଲୁହ ଗଡାଉଛି ବାପା ।

୪ ଭଉଣୀଙ୍କ ମଧ୍ୟରେ ପୃଥୀ ଥିଲେ ସବା ସାନ ପୁଅ । ବାପା ମାଆଙ୍କ ଏକମାତ୍ର ସାହା ଭରସା । ହେଲେ ଏବେ ବୁଢା ବାପା-ମାଆଙ୍କୁ ଏକା କରି ଚାଲିଗଲେ ପୃଥୀ । ଶେଷ ଥର ପାଇଁ ସେ ରାକ୍ଷୀ ପୂର୍ଣ୍ଣମୀରେ ଘରକୁ ଆସିଥିଲେ । ଆଉ ପୁଣି ଥରେ ଘରକୁ ଫେରିଲେ ବହୁତ କିଛି କରିବାକୁ କହିକି ଯାଇଥିଲେ । ଯେଉଁ କଥା ତାଙ୍କର କେବଳ କଥାରେ ହିଁ ରହିଯାଇଛି । ଯାହାକୁ କେବେ ବି ଆଉ ପୂରଣ କରିପାରିବେନି ପୃଥୀ ।

ଗତକାଲି ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସିଡିଏସ ବିପିନ ରାୱତଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ହେଲିକପ୍ଟର ଉଡାଉଥିଲେ ୱିଙ୍ଗ କମାଣ୍ଡର ପୃଥୀ ସିଂ ଚୌହାନ । ଏହି ଘଟଣା ପରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ । କାରଣ ଗୋଟିଏ ଦିନରେ ଭାରତ ହରାଇଥିଲା ଅନେକ ବୀର ଓ ଦକ୍ଷ ସେନାଙ୍କୁ ।

ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ ହେଉଛି ସିଡିଏସ ଯାଉଥିବା ହେଲିକପ୍ଟର ଏମଆଇ ୧୭ ଭି୫ ବେଶ ସୁରକ୍ଷିତ ହେଲିକପ୍ଟର ହେଲେ ଏଥିରେ ଦୁର୍ଘଟଣା ହେଲା କେମିତି? ଆଉ ଏହି ହେଲିକପ୍ଟର ଉଡାଉଥିବା ୱିଙ୍ଗ କମାଣ୍ଡର ପୃଥୀ ଥିଲେ ବେଶ ଦକ୍ଷ ଅଫିସର । ବାୟୁସେନାର ଅନେକ ଲଢୁଆ ୱିଙ୍ଗ କମାଣ୍ଡରଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଆଉ ଏହି ଏମ୧୭ ହେଲିକପ୍ଟର ଉଡାଇବାରେ ସେ ବେଶ ମାହିର ମଧ୍ୟ ଥିଲେ । ହେଲେ କେଉଁଠି ତ୍ରୁଟି ରହିଲା ତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ।