ବାହାଦୂର ପାଇଲଟଙ୍କୁ ବଡ ସମ୍ମାନ । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ‘ବୀର ଚକ୍ର’ ସମ୍ମାନ, ସୁପାରିଶ କଲା ଭାରତୀୟ ବାୟୁସେନା ।

324

କନକ ବ୍ୟୁରୋ : ବୀରସୈନିକଙ୍କୁ ମିଳିବ ବୀରଚକ୍ର । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ‘ବୀର ଚକ୍ର’ ଉପାଧି ସୁପାରିଶ କରିଛି ଭାରତୀୟ ବାୟୁସେନା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁରକ୍ଷା ଦୃଷ୍ଟିରୁ ଅଭିନନ୍ଦନଙ୍କୁ କାଶ୍ମୀରରୁ ବଦଳି କରାଯାଇଛି । ସେ ଶ୍ରୀନଗର ଏୟାରବେସରେ ନିଯୁକ୍ତ ଥିଲେ । ଅଭିନନ୍ଦନଙ୍କୁ ପଶ୍ଚିମ ସେକ୍ଟରର ଗୁରୁତ୍ୱପୂର୍ଣ୍ଣ ଏୟାରବେସରେ ନିଯୁକ୍ତି ଦେଇଛି ବାୟୁସେନା । ତେବେ ମେ ମାସ ଶେଷ ସପ୍ତାହ ସୁଦ୍ଧା ବାୟୁସେନାରେ ଯୋଗ ଦେବା ସହ ଯୁଦ୍ଧ ବିମାନ ଉଡାଇବେ ବୀର ପାଇଲଟ୍ ଅଭିନନ୍ଦନ ।

ପାକିସ୍ତାନ ସହ ଏୟାରଷ୍ଟ୍ରାଇକରେ ପାକିସ୍ତାନର ଏଫ-୧୬ ବିମାନକୁ ନଷ୍ଟ କରିଥିଲେ ଅଭିନନ୍ଦନ । ଏଥିସହ ସେ ଧରାପଡିଥିଲେ ପାକିସ୍ତାନରେ । ଧରାପଡିବାର ୨ଦିନ ପରେ ଭାରତ ଫେରିଥିଲେ ଏହି ବୀରସୈନିକ । ଫେବ୍ରୁଆରୀ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡି ଉପରେ ଆତଙ୍କବାଦୀ ହମଲା ହୋଇଥିଲା । ଏହାପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଇ-ମହମ୍ମଦ କ୍ୟାମ୍ପ ଉପରେ କରିଥିଲା ଏୟାରଷ୍ଟ୍ରାଇକ୍ । ଭାରତୀୟ ବାୟୁସେନାର କ୍ୟାମ୍ପକୁ ଟାର୍ଗେଟ କରି ଯୁଦ୍ଧ ବିମାନ ପଠାଇଥିଲା ପାକିସ୍ତାନ । ଏହାର ଜବାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଭାରତୀୟ ବାୟୁସେନା । ଏହି ଯୁଦ୍ଧରେ ଭାରତର ମିଗ-୨୧ ଚଳାଉଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଏଫ-୧୬ କୁ ନଷ୍ଟ କରିଥିଲେ ।