କେମିତି ପାକିସ୍ତାନର ଲଢୁଆ ବିମାନକୁ ଧ୍ୱଂସ କରିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ? ମଝି ଆକାଶରେ ଅଭିନନ୍ଦନଙ୍କ ପରାକ୍ରମକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ।

455

କନକ ବ୍ୟୁରୋ : ୨୭ ଫେବ୍ରୁଆରୀ ୨୦୧୯ । ପାକିସ୍ତାନ ବାଲାକୋଟରେ ପଶି ଭାରତୀୟ ବାୟୁସେନାର ଏୟାର ସର୍ଜିକାଲ ଷ୍ଟ୍ରାଇକର ଠିକ ପରଦିନ । ସକାଳ ୮ଟା ୪୫ରେ ପଂଜାବରେ ଥିବା ଭାରତୀୟ ବାୟୁସେନାର ରାଡାର କଂଟ୍ରୋଲ ଆଲର୍ଟ କଲା ଯେ, ପାକିସ୍ତାନ ଏହାର ବାୟୁସୀମାକୁ ସାଧାରଣ ବିମାନ ଯାତ୍ରା ପାଇଁ ବନ୍ଦ କରିଦେଇଛି । ଏବଂ ତୁରନ୍ତ ୪ଟି ସୁଖୋଇ-୩୦୦ ଏମକେଆଇକୁ ଆଲର୍ଟ କରାଗଲା । ଏଥିସହ ୨ଟି ମିରାଜ ୨୦୦୦କୁ ମଧ୍ୟ ତୁରନ୍ତ ମୁତୟନ କରାଗଲା । ପୀର ପଞ୍ଜାଲ ମାଉଂଟେନ ରେଞ୍ଜରେ ଏମାନ ଉତ୍ତରରୁ ଦକ୍ଷିଣ ଦିଗରେ ପାଟ୍ରୋଲିଂ ଆରମ୍ଭ କରିଦେଲେ ।

ଏହାରି ଭିତରେ ପାକିସ୍ତାନର ରଫିକି ଓ ସାର୍ଗୋଦା ଏୟାରବେସରୁ ଏଫ-୧୬ ବିମାନଗୁଡିକ ଭାରତୀୟ ସୀମା ଅଭିମୁଖେ ଉଡାଣ ଭରିଥିଲେ । ପାକିସ୍ତାନ ଏୟାରଫୋର୍ସର ୨୪ଟି ଲଢୁଆ ବିମାନ ଆକ୍ରମଣ ମୁଦ୍ରାରେ ଭାରତୀୟ ସୀମା ଆଡକୁ ଅଗ୍ରସର ହେଲାବେଳେ ୧୧ଟି ଆମେରିକା ତିଆରି ଏଫ-୧୬ ଫାଲକନ୍, ୧୩ଟି ଜେଏଫ-୧୭ ଥଣ୍ଡର କମ୍ବାଟ ଚାଇନିଜ ଏୟରକ୍ରାଫ୍ଟ ଏବଂ ମିରାଜ-୩ ଓ ଫାଇବ ଭଳି ପାକିସ୍ତାନୀ ଲଢୁଆ ବିମାନ ଭାରତ ଆଡକୁ ମାଡିଆସିଥିଲେ । ଠିକ୍ ୯ଟା ୪୫ ବେଳକୁ ଏମାନେ ଭାରତୀୟ ସୀମା ଆଡକୁ ପଶିବାକୁ ଉଦ୍ୟମ କରିଥିଲେ ।

ନୌସେରାରେ ଥିବା ବ୍ରିଗେଡ ହେଡକ୍ୱାର୍ଟର ଓ ଜାମ୍ମୁର ନଗରୌଟାରେ ଥିବା ୧୬ କର୍ପ୍ସ ହେଡକ୍ୱାର୍ଟର ଥିଲା ଏଗୁଡିକର ଟାର୍ଗେଟ । ଅଚାନକ ଏମାନେ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲେ । ୮ଟି ଫାଇଟର ଜେଟ୍ ନଗରୌଟା ଆଡକୁ ଅଗ୍ରସର ହେଉଥିବାବେଳେ ଏମାନଙ୍କୁ ଚେଜ୍ କରିଥିଲା ଭାରତୀୟ ଲଢୁଆ ବିମାନ ମିରାଜ ୨୦୦୦ । ବିମାନଗୁଡିକ ଦୃଶ୍ୟମାନ ହେବା ପୂର୍ବରୁ ବିଅଣ୍ଡ ଭିଜୁଆଲ ରେଞ୍ଜ ମାଇକା ମିଜାଇଲ ଜରିଆରେ ଏଗୁଡିକୁ ଘଉଡାଇଥିଲା ମିରାଜ ୨୦୦୦ । ଜୋରଦାର ପ୍ରତିଆକ୍ରମଣ ଫଳରେ ଏଗୁଡିକ ବାଟଭାଙ୍ଗି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।

ହେଲେ ଏତିକିବେଳେ ୪ଟି ଏଫ-୧୬ ବିମାନ ନୌସେରା ସେକ୍ଟରରେ ଭାରତୀୟ ବାୟୁସୀମା ଭିତରକୁ ପ୍ରବେଶ କରିଯାଇଥିଲେ । ଯାହାକୁ ଆଗରୁ ଜଗି ରହିଥିଲେ ୪ଟି ସୁଖୋଇ ଯୁଦ୍ଧ ବିମାନ । ଆଉ ପରେପରେ ଏମାନଙ୍କ ସହ ଯୋଗ ଦେଇଥିଲେ ମିଗ-୨୧ ବାଇସନ୍ । ଗୋଟିଏରେ ଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମଥର ଆକାଶପଥରେ ମୁହାଁମୁହିଁ ହୋଇଥିଲେ ଉଭୟ ଦେଶର ଲଢୁଆ ବିମାନ । ୪ଟି ଏଆଇଏମ ୧୨୦ ସି-୫ ଆମରାମ୍ ବା ମଧ୍ୟମ ରେଞ୍ଜର ଆକଶପଥରୁ ଆକାଶପଥରେ ନିକ୍ଷେପ ହୋଇପାରୁଥିବା ମିଜାଇଲ ମାଡ କରିଥିଲା ଏଫ-୧୬ । ହେଲେ ଏହା ଏକ ସ୍ଥାନୀୟ ବ୍ରିଜ୍ ଓ ଖୋଲା ପଡିଆକୁ ହିଟ୍ କରିଥିଲା ।

ଆଉ ମିଜାଇଲ ମାଡ କରି ପୁଣି ପାକିସ୍ତାନ ପଟକୁ ଫେରିଥିଲା ଏଫ-୧୬ ବିମାନ । ହେଲେ ଫେରିଲାବେଳେ ଏକ ଏଫ-୧୬ ବିମାନକୁ ଲକ୍ କରିଥିଲା ଅଭିନନ୍ଦନଙ୍କ ଫାଇଟର ଜେଟ୍ । ହେଲେ ବାୟୁସେନା ରାଡାରରୁ ତାଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ଅତି ସଂକଟଜନକ ସ୍ଥିତିରେ ମଧ୍ୟ ଏଲଓସି ଡେଇଁ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରିବାର ଅନୁମତି ନାହିଁ । ଅଭିନନ୍ଦନଙ୍କ ଆକ୍ରମଣକୁ ଏଡାଇବା ପାଇଁ ପାକିସ୍ତାନୀ ବିମାନଟି ସିଧା ଉପରକୁ ଉଠିଥିଲା । ହେଲେ ଏହାକୁ ପିଛା କରି ଅଭିନନ୍ଦନ ରେଡିଓରେ ମେସେଜ ଦେଇଥିଲେ ଆର-୭୩ ସିଲେକ୍ଟେଡ୍ । ଏହାପରେ ସେ ଆର-୭୩ ମିଜାଇଲକୁ ନିକ୍ଷେପ କରିଥିଲେ ।

ଯାହା ଇତିହାସରେ ପ୍ରଥମଥର ଏକ ଏଫ-୧୬ ଯୁଦ୍ଧ ବିମାନକୁ ଆକାଶରେ ଧ୍ୱଂଶ କରିଦେଇଥିଲା । ଆଉ ସେତେବେଳେକୁ ଏଲଓସି ଅତିକ୍ରମ କରି ପ୍ରାୟ ୧୦ରୁ ୧୨ କିଲୋମିଟର ପାକିସ୍ତାନ ଭତରକୁ ପଶିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଯେଉଁଠୁ ଫେରିଆସିବା ଆଉ ସମ୍ଭବ ହୋଇନଥିଲା । ପାକିସ୍ତାନ ପଟୁ ଭୁପୃଷ୍ଠରୁ ଏକ ମିଜାଇଲ ଆସି ଅଭିନନ୍ଦନଙ୍କ ମିଗ-୨୧କୁ ହିଟ୍ କରିଥିଲା । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ଏହି ଦୁଃସାହସିକ ଲଢେକୁ ନେଇ ତିଆରି ହେବ ହିନ୍ଦି ଫିଲ୍ମ । ଶୁଣିବାକୁ ମିଳୁଛି ଅଭିନନ୍ଦନଙ୍କ ଭୂମିକାରେ ନଜର ଆସିବେ ଅଭିନେତା ବିବେକ ଓବ୍ରଏ । ୨୦୨୦ ବେଳକୁ ଏହି ଫିଲ୍ମର ସୁଟିଂ ଜାମ୍ମୁ-କାଶ୍ମୀର ସହିତ ଦିଲ୍ଲୀ ଓ ଆଗ୍ରାରେ କରାଯିବ । ଫିଲ୍ମଟି ହିନ୍ଦି ସମେତ ତାମିଲ ଓ ତେଲୁଗୁରେ ମଧ୍ୟ ରିଲିଜ କରାଯିବ ।