ୱିଙ୍ଗ କମାଣ୍ଡରଙ୍କ ଦେହରେ ଲାଗିବ ଡେଣା ! ଖୁବଶୀଘ୍ର ଲଢୁଆ ବିମାନ ମିଗ-୨୧ ବାଇସନ ଧରି ଆକାଶରେ ଉଡିବେ ଅଭିନନ୍ଦନ ।

315

କନକ ବ୍ୟୁରୋ : ପାକିସ୍ତାନରୁ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ, ସଂପୂର୍ଣ୍ଣ ଫିଟ୍ ହେବା ପରେ କକପିଟକୁ ଫେରିବେ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ଆଜି ସାମ୍ବାଦିକ ସମ୍ମିଳନୀରେ ବିଏସ୍ ଧନୱା କହିଛନ୍ତି, ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି, ତେଣୁ ସୁସ୍ଥ ହେବା ପରେ ସେ, ଯୁଦ୍ଧ ବିମାନ ଚଳାଇ ପାରିବେ । ଏଥି ସହ ବାଲାକୋଟ୍ ଆକ୍ରମଣ ଘଟଣାରେ ବାୟୁସେନା ମୁଖ୍ୟ କହିଛନ୍ତି, ଟାର୍ଗେଟ୍ ହିଟ୍ ହୋଇଛି, ଏବଂ ମୃତକଙ୍କ ଶରୀର ଗଣିବା ତାଙ୍କ କାମ ନୁହେଁ ।

ୱିଙ୍ଗ କମାଣ୍ଡରଙ୍କ ଦେହରେ ଲାଗିବ ଡେଣା । ଖୁବଶୀଘ୍ର ଲଢୁଆ ବିମାନ ମିଗ-୨୧ ବାଇସନ ଧରି ଆକାଶରେ ଉଡିବେ ଅଭିନନ୍ଦନ । ଶତ୍ରୁ ଆକ୍ରମଣରୁ ଦେଶକୁ ସୁରକ୍ଷା ଦେବାପାଇଁ ରାଇଡର ସିଟରେ ବସିବେ ବୀର ଯୋଦ୍ଧା । ବାୟୁସେନା ମୁଖ୍ୟ ବିଏସ ଧାନୋଆ କହିଛନ୍ତି, ଅଭିନନ୍ଦନଙ୍କ ପିଠିରେ ଆଘାତ ଲାଗିଛି । ସେନା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ସେ ସୁସ୍ଥ ହେବା ପରେ ପୁଣି ଫାଇଟର ଜେଟର କକପିଟକୁ ଫେରିବେ । ବାୟୁସେନା ମୁଖ୍ୟଙ୍କ ଏହି ପଦିଏ କଥା, ୱାର ହିରୋ ଅଭିନନ୍ଦନଙ୍କ ଅଗଣିତ ଫ୍ୟାନଙ୍କ ମନରେ ଉତ୍ସାହ ଆଣିଦେଇଛି ।

୨୬ ଫେବ୍ରୁଆରୀରେ ପାକିସ୍ତାନ ମାଟିରେ ଭାରତୀୟ ଲଢୁଆ ବିମାନର ଆକ୍ରମଣ ପରେ ପ୍ରଥମଥର ପ୍ରତିକ୍ରିୟା ରଖିଛନ୍ତି ବାୟୁସେନା ମୁଖ୍ୟ ବିଏସ ଧାନୋଆ । ବାଲାକୋଟରେ ଆତଙ୍କୀ ଶିବିର ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀ ଉଠାଉଥିବା ସମସ୍ତ ପ୍ରଶ୍ନର ଗୋଟିଏ ଧାଡିରେ ଉତ୍ତର ରଖିଛନ୍ତି ବାୟୁସେନା ମୁଖ୍ୟ । ଧାନୋଆ କହିଛନ୍ତି ଯେଉଁ ଟାର୍ଗେଟକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା ତାହା ଶତ ପ୍ରତିଶତ ସଫଳ ହୋଇଛି । ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଗଣିବା ବାୟୁସେନାର କାମ ନୁହେଁ ।

ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନର ବାଲାକୋଟରେ ହୋଇଥିଲା ବଡଧରଣର ଏୟାର ସର୍ଜିକାଲ ଷ୍ଟ୍ରାଇକ୍ । ଗୁଇନ୍ଦା ସୂଚନାକୁ ଆଧାର କରି ଆତଙ୍କବାଦୀଙ୍କ ଆଡ୍ଡା ଓ ପ୍ରଶିକ୍ଷଣ ଶିବିରକୁ ଟାର୍ଗେଟ କରିଥିଲା ଭାରତୀୟ ବାୟୁସେନାର ଦୁର୍ଦ୍ଦଶ ମିରାଜ -୨୦୦୦ । ପ୍ରାୟ ହଜାରେ କିଲୋ ବିସ୍ଫୋରକ ମାଡ କରିଥିଲେ ୬ଟି ଲଢୁଆ ବିମାନ । ହେଲେ ଭାରତୀୟ ବାୟୁସେନା ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନଥିବା ବାରମ୍ବାର କହିଆସୁଛି ପାକିସ୍ତାନ । ହେଲେ ପରଦିନ ପାକ୍ ଯୁଦ୍ଧ ବିମାନ ଭାରତୀୟ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ପ୍ରତିଆକ୍ରମଣ ଯୋଜନା କରିବା ଏହାର ବଡ ପ୍ରମାଣ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ।

ଉରି ହମଲା ପରେ ପିଓକେରେ ପଶି ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକକୁ ମଧ୍ୟ ଅସ୍ୱୀକାର କରିଆସୁଥିଲା ପାକିସ୍ତାନ । ଏବେ ସମାନ ଢଙ୍ଗରେ ବାୟୁସେନାର ଏୟାର ସର୍ଜିକାଲ ଷ୍ଟ୍ରାଇକକୁ ମାନିଥିଲେ ମଧ୍ୟ କ୍ଷୟକ୍ଷତି ନେଇ ମିଛ କହିଚାଲିଛି । ହେଲେ ଭାରତ ପାଖରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ଏବଂ ସରକାର ଚାହିଁଲେ ପ୍ରମାଣ ଦେବାକୁ ବାୟୁସେନା ପ୍ରସ୍ତୁତ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇ ସାରିଛି ।