ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର : ବହ୍ମପୁରର ଏନଏଚ୍ କଡ଼ରେ ବେଧଡ଼କ ଚାଲିଛି ମଦ ଦୋକାନ

40

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡୁ ମଦ ହଟେଇବା ପାଇଁ ନିର୍ଦ୍ଦେଶ ଥିଲେ ସୁଦ୍ଧା ବ୍ରହ୍ମପୁର ର ଏନଏଚ୍ କଡରେ ଚାଲିଛି ମଦ ବିକ୍ରି । ସହର ମଧ୍ୟରେ ୩ ଟି ଦେଶୀ ମଦ ଦୋକାନରେ ଏବେବି ମଦ ବିକ୍ରୀ ହେଉଛି । ହେଲେ ଜିଳ୍ଲା ପ୍ରଶାସନ କି ଅବକାରୀ ବିଭାଗ କୌଣସି ନିଘା ନାହିଁ । ସେପଟେ ମାଲକାନଗିରିରେ ମଦ ବିକ୍ରି ବନ୍ଦ ଦାବିରେ ଜିଲ୍ଲାପାଳ ଓ ଏସପିଙ୍କ ଅଫିସ ଘେରିଛନ୍ତି ମହିଳା ।

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ଏନଏଚ୍ କଡରେ ରହିବନି ମଦ ଦୋକାନ । ରାଜପଥ ଠାରୁ ୫ଶହ ମିଟର ଭିତରେ ମଦ ଦୋକାନ ହଟେଇବା ପାଇଁ ଏପ୍ରେଲ ୧ରେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାରି ଭିତରେ ଅଢେଇ ମାସ ବିତି ଗଲାଣି, ହେଲେ ବ୍ରହ୍ମପୁର ସହର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରୁ ଶହେ ମିଟର ଦୂର ନଟବରନଗର, କମରପଲ୍ଲୀରେ ୨ଟି ଦେଶୀମଦ କାଉଂଟରରେ ମଦ ବିକ୍ରୀ କରାଯାଉଛି । ୧୬ ନମ୍ବର ଜାତୀୟ ରାଜପଥର ୫୦ ମିଟର ଦୂରରେ ବି ଏକ ଦେଶୀ ମଦଦୋକାନ ଏବେ ବି ଖୋଲା ରହିଛି । ସେହିଭଳି ଆସିକା ରୋଡ଼ରେ ଏକ ବାରକୁ ମାତ୍ର କିଛି ମିଟର ଘୁଂଚାଇ ଚାଲିଛି ମଦ କାରବାର ।

ଅନ୍ୟପଟେ ଅଂଚଳବାସୀ ମଦ ଦୋକାନ ହଟେଇବା ପାଇଁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ସହର ଭିତରେ ଖୋଲାଖୋଲି ମଦ ବିକ୍ରୀ ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ । ସେପଟେ ଏନେଇ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି, ହେଲେ ଅବକାରୀ ବିଭାଗ ଚୁପ୍ ।

ସେପଟେ ମାଲକାନଗିରିରେ ଉଗ୍ର ହୋଉଛି ମଦ ବିରୋଧୀ ଆନ୍ଦୋଳନ । ମଦ ଦୋକାନ ବନ୍ଦ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । “ମାଁ ଘର” ନେତୃତ୍ୱରେ ଶତାଧୀକ ମହିଳା ମାଲକାନଗିରି ଏସ.ପି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବେଆଇନ ମଦ କାରବାର ବନ୍ଦ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ଏନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।