ଅସ୍ତରଙ୍ଗରେ ୩ ମିନିଟର ଘୂର୍ଣ୍ଣିଝଡ ତାଣ୍ଡବ: କେହି କିଛି ବୁଝିବା ଆଗରୁ ରଚିଲା ପ୍ରଳୟ, ଗଛ ଉପୁଡିଲା , ଘର ଭାଙ୍ଗିଲା

36

କନକ ବ୍ୟୁରୋ: ଅସ୍ତରଙ୍ଗରେ ୩ ମିନିଟର ଘୂର୍ଣ୍ଣିଝଡ ତାଣ୍ଡବ । ଗତକାଲି ୪ଟା ବେଳେ ହଠାତ୍ ମାଡି ଆସିଲା ଘୂର୍ଣ୍ଣିଝଡ । କେହି କିଛି ବୁଝିବା ଆଗରୁ ରଚିଲା ପ୍ରଳୟ । ବର୍ଷା,ଘଡଘଡି ସାଙ୍ଗକୁ ଜୋରଶୋରରେ ପବନ ବହିବାରେ ଲାଗିଥିଲା । ଏହି ଘୂର୍ଣ୍ଣିଝଡ ଅସ୍ତରଙ୍ଗ–କାକଟପୁର ରାସ୍ତାର ମଲାମାଛ ଛକଠାରୁ ଭକୁଳେଇ ଛକ ପର୍ଯ୍ୟନ୍ତ ପ୍ରକୋପ ଦେଖାଇଥିଲା ।

ଏଥିରେ ବଡ ବଡ ଗଛ ଓ ବିଦ୍ୟୁତ୍ ଖୁଂଟ ଭାଙ୍ଗି ପଡିଥିଲା । ବିଶ୍ୱକର୍ମା ପୂଜା ପାଇଁ ସଜା ହୋଇଥିବା ଟେଣ୍ଡକୁ ମଧ୍ୟ ଭାଙ୍ଗି ଦେଇଛି । କେତେକ ଘର ମଧ୍ୟ ଭାଙ୍ଗିଥିବା ଜଣାପଡିଛି । ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା ।

ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଗଛକୁ କାଟି ହଠାଯିବାପରେ ଚଳାଚଳ ସ୍ୱାଭାବିକ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।