ଚିଲିକାରେ ଚକ୍ରବାତ ! ପାଣି ମଝିରେ ସୃଷ୍ଟି ହେଲା ଘୂର୍ଣ୍ଣିଝଡ, ପବନ ସହ ଉପରକୁ ଉଠିଲା ପାଣି ।

49

କନକ ବ୍ୟୁରୋ : ପୁଣି ଥରେ ଚିଲିକା ମଝିରେ ସୃଷ୍ଟି ହୋଇଛି ଚକ୍ରବାତ । ପାଣି ମଝିରେ ଏପରି ଭୟଙ୍କର ଦୃଶ୍ୟ ଦେଖି ଆତଙ୍କିତ ହୋଇ ପଡିଛନ୍ତି ଅଂଚଳବାସୀ । କାରଣ ୨ ସପ୍ତାହ ତଳେ ଏପରି ଘୂର୍ଣ୍ଣି ଝଡ଼ ଦେଖିବାକୁ ମିଳିଥିଲା । ଏହି ଚକ୍ରବାତରେ କୃଷ୍ଣପ୍ରସାଦ ଅଂଚଳରେ ଜଣଙ୍କର ଘର ଆଜବେଷ୍ଟ ପ୍ରାୟ ୫୦୦ ଫୁଟ ଉପରକୁ ଉଠିଯାଇଥିଲା । ତେବେ ଗତକାଲି ହୋଇଥିବା ଚକ୍ରବାତରେ କିଛି କ୍ଷତି ହୋଇନଥିଲେ ବି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।

ଚିଲିକାରେ ଚକ୍ରବାତ । ପାଣି ମଝିରେ ସୃଷ୍ଟି ହେଲା ଘୂର୍ଣ୍ଣିଝଡ଼ । ବୃତ ଆକାରରେ ପବନ ସହ ପାଣି ଉପରକୁ ଉଠିଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି  ଚିଲିକା ମଝିରେ । ଚିଲିକାର ଏପରି ଭୟଙ୍କର ଦୃଶ୍ୟ, ଅଜଣା ଆଶଙ୍କା ସୃଷ୍ଟି କରିଥିଲା ଲୋକଙ୍କ ମନରେ । ଗତକାଲି ସକାଳେ ବାଲୁଗାଁ ଜେଟି ନିକଟରେ ଦେଖିବାକୁ ମିଳିଥିଲା ପାଣି ଭିତରେ ଚକ୍ରବାତ । ଚିଲିକା ମଝିରେ ଏହି ଦୃଶ୍ୟ ଦେଖି ଲୋକେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ସେତିକି ହୋଇଥିଲେ ଭୟଭୀତ । ସ୍ଥଳଭାଗରେ ଘୂର୍ଣ୍ଣିଝଡ ଭଳି ଚିଲିକା ମଝିରେ ଘୂର୍ଣ୍ଣିବାୟୁ ସଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ଚକ୍ରବାତ । ଏହି ଦୃଶ୍ୟକୁ କିଛି ଲୋକ ମୋବାଇଲରେ ରେକର୍ଡିଂ କରିିଥିଲେ ।

ଅବଶ୍ୟ ଏହି ଚକ୍ରବାତରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତେବେ ୨ ସପ୍ତାହ ପୂର୍ବରୁ ଗମ୍ଭାରୀ ପଂଚାୟତ ଟୁଆ ଗାଁ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ସମାନ ଘଟଣା । କୃଷ୍ଣପ୍ରସାଦ ଇଲାକାରେ କଳାହାଣ୍ଡିଆ ମେଘ ସହ ଜୋରରେ ପବନ ବୋହିଥିଲା । ଏଥିରେ ଟୁଆ ଗାଁରେ ଏକ ଘରର ୩ ବଖରା ଆଜବେଷ୍ଟ ଘର ଉଡିଯାଇଥିଲା । ପବନରେ ଘରର ଆଜବେଷ୍ଟସ ପ୍ରାୟ ୫ ଶହ ଫୁଟ ଉଠିଯାଇଥିଲା ଉପରକୁ । ତେବେ ଗତକାଲି ହୋଇଥିବା ଏହି ଚକ୍ରବାତରେ ସେଭଳି କୌଣସି ବଡ଼ ଧରଣର ପ୍ରଭାବ ଦେଖିବାକୁ ମିଳିନଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଚକ୍ରବାତ ପ୍ରାୟ ୪୦୦ରୁ ୫୦୦ ମିଟର ପର୍ଯ୍ୟନ୍ତ ଉପରକୁ ଉଠିଥିଲା ।  ଗତ ୧୫ ଦିନ ମଧ୍ୟରେ ଏଭଳି  ଦୁଇ ଦୁଇ ଥର ଘୂର୍ଣ୍ଣିଝଡ ଆଶ୍ଚର୍ଯ୍ୟ କରିଛି ବିଶେଷଜ୍ଞଙ୍କୁ । କାରଣ ଏଭଳି ଦୃଶ୍ୟ ଚିଲିକାରେ ବିରଳ । ବିଶେଷଜ୍ଞଙ୍କ ମତରେ ଏପରି ଘୂର୍ଣ୍ଣିଝଡ ଜଳବାୟୁ ପରିବର୍ତ୍ତନର ସଂକେତ ।