କିଛି ଦିନ ତଳେ ଏକ ବିମାନର ଇଞ୍ଜିନ ୩୨୦୦୦ ଫୁଟ ଉପରୁ ଖରାପ ହୋଇ ପଡିଯାଇଥିଲା । ତେବେ ଆଉ ଏକ ବିମାନ ଉଡୁଥିବା ସମୟରେ ଏମିତି ଏକ ଦୁର୍ଘଟଣା ହୋଇଛି ଯାହାକୁ ଶୁଣି ଏବିଏଶନ ଏଜେନ୍ସି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଅମୃତସର ରୁ ଦିଲ୍ଲୀ ଆସୁଥିବା ଏୟାରଇଣ୍ଡିଆର ଏକ ବିମାନ ଭୂପୃଷ୍ଠରୁ ୧୦୦୦ ଫୁଟ ଉପରେ ଥିବା ବେଳେ ବିମାନର ଝରକା ଭାଙ୍ଗିଯାଇଥିଲା । ଯାହାକୁ ନେଇ ବିମାନରେ ପ୍ରାୟ ୧୫ ମିନିଟ ଧରି ଆତଙ୍କ ଦେଖାଯାଇଥିଲା । ଆଉ ଏହି ସମୟରେ ବିମାନରେ ଥିବା ସମସ୍ତ ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ । ତେବେ ଝରକାର ପ୍ୟାନେଲ ମୁଣ୍ଡରେ ବାଜିବାରୁ ତିନି ଜଣ ଲୋକ ଆହତ ହୋଇଛନ୍ତି ।
ଏହି ଘଟଣା ଗତ ଗୁରୁବାର ଦିନ ଘଟିଥିଲା । ଏୟାରଇଣ୍ଡିଆର ବୋଇଙ୍ଗ ୭୮୭ ଡ୍ରିମଲାଇନର ବିମାନ ଏଆଇ୪୬୨ ଅମୃତସର ରୁ ଦିଲ୍ଲୀ ଆସୁଥିଲା । ବିମାନଟି ଉଡାଣ ଅବସ୍ଥାରେ ଥିବା ବେଳେ ବିମାନ ଝରକା ପ୍ୟାନେଲ ଭାଙ୍ଗି ଯାଇଥିଲା । ଆଉ ଏଥିରେ ଉକ୍ତ ଝରକା ପାଖରେ ବସିଥିବା ଯାତ୍ରୀଙ୍କ ସମେତ ମୋଟ ତିନି ଜଣ ଯାତ୍ରୀ ଆହତ ହୋଇଛନ୍ତି । ଝରକା ଭାଙ୍ଗିଯିବାରୁ ବିମାନରେ ଭୟର ବାତାବରଣ ଖେଳିଯାଇଥିଲା । ଏପରିକି ବିମାନରେ କେତେକ ଅକ୍ସିଜେନ ମାକ୍ସ ମଧ୍ୟ ଖୋଲିଯାଇଥିଲା । ବିମାନରେ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ହୋହାଲ୍ଲା ଲାଗି ରହିଥିଲା । ତେବେ ଏୟାର ହୋଷ୍ଟେସ ବହୁତ କଷ୍ଟରେ ଏହି ଅସୁବିଧାକୁ ଦୂର କରିଥିଲେ ।
ସୂଚନା ଅନୁଯାୟୀ, ଝରକାର ବାହାର ଅଂଶ କାଚ ଠିକ ଠାକ ରହିଥିଲା । ଆଉ ଯାହା ଫଳରେ ବିମାନ ଭିତରେ ପବନର ପ୍ରଭାବ ବହୁତ ଅଳ୍ପ ରହିଥିଲା । ଯେଉଁଥିପାଇଁ ବିମାନରେ ସେପରି କିଛି ବଡ କ୍ଷୟକ୍ଷତି ହୋଇନଥିଲା । ଏହି ଘଟଣାକୁ ନେଇ ଏୟାରଲାଇନ୍ସକୁ କର୍ତ୍ତୃପକ୍ଷଙ୍କ ସମେତ ଏବିଏଶନ ଏଜେନ୍ସି ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଏହି ମାମଲାର ତଦନ୍ତ ଆରମ୍ଭ କରାଯାଇଛି । ଏୟାର ଇଣ୍ଡିଆ ଏବଂ ଡିଜିସିଏ ଏହି ଘଟଣାର ତଦନ୍ତ କରୁଛନ୍ତି । ବିମାନଟି ଦିଲ୍ଲୀରେ ଅବତରଣ କରିବା ପରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ଜଣେ ଯାତ୍ରୀ ଅଧିକ ଆହତ ହୋଇଥିବାରୁ ତାଙ୍କ ମୁଣ୍ଡରେ ପଟି ଲଗାଯାଇଛି ।
ଏହା ପୂର୍ବରୁ ଆମେରିକାରେ ମଧ୍ୟ ବିମାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । କିଛି ଦିନ ତଳେ ଆମେରିକାରେ ନିୟୁର୍କରୁ ଡଲାସ ଯାଉଥିବା ସାଉଥ ୱେଷ୍ଟର ଏକ ବିମାନର ଇଞ୍ଜିନ ଖରାପ ହୋଇଯାଇଥିଲା । ଏହା ପରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ବେଳେ ୭ଜଣ ଆହତ ହୋଇଥିଲେ । ଯେତେବେଳେ ଏହି ଦୁର୍ଘଟଣାଟି ଘଟିଥିଲା ସେତେବେଳେ ବିମାନଟି ଭୂପୃଷ୍ଠରୁ ୩୨୦୦୦ ଫୁଟ ଉପରେ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/67701-sakcaifuey-1524394953.jpg)
/kanak/media/post_attachments/wp-content/uploads/2018/04/window_panel_also_fell_off_Air_India_flight-300x169.jpg)
/kanak/media/post_attachments/wp-content/uploads/2018/04/air_india_news_1524383763_618x347-300x168.jpeg)