ଲଘୁଚାପ ପ୍ରଭାବରେ ବଦଳିଲା ପାଗ : ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି; କାଲିଠୁ ବଢିବ ବର୍ଷାର ପରିମାଣ

398

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ବଦଳିଲା ପାଗ । ବର୍ତ୍ତମାନ ପାଗ କୋହଲା ରହିଛି । ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ। କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାରେସଂଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷିବା ଆରମ୍ଭ ହୋଇଯିବ । ୪ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷିବ । ଏପରିକି ସେଠାରେ ୨୦୦ ମିମିରୁ ଅଧିକ ବର୍ଷିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

ଏଥିସହ ଏହି ୪ ଜିଲ୍ଲା ପାଇଁ‌ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯା‌ଜପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ଉପରେ ସତର୍କ ଦୃଷ୍ଟି ଦେବାକୁ ଏସ୍ଆର୍‌ସି ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଲଘୁଚାପ ସୃଷ୍ଟି ହେବା ପରେ ସିଷ୍ଟମଟି ବାରମ୍ବାର ଦିଗ ପରିବର୍ତ୍ତନ କରୁଥିବାରୁ ବୈଜ୍ଞାନିକମାନଙ୍କ ଆକଳନ ବିଳମ୍ବ ହେଉଥିବା କୁହାଯାଉଛି ବା ଠୋସ୍ ଭାବେ ନିର୍ଣ୍ଣୟ ହୋଇପାରୁନାହିଁ । ଆଇଏମ୍‌ଡି କହିଛି, ସମୁଦ୍ର ଭିତରେ ଏହା ଦିଗ ବଦଳାଇବ ଏବଂ ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ‘ବାତ୍ୟା’ର ରୂପ ନେବ । ୪ ତାରିଖ ସକାଳେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ‌ା ସହ ଉତ୍ତର-ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ‌ ଛୁଇଁବ ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସାମ୍ଭାବ୍ୟ ବାତ୍ୟା ଉପକୂଳର ବହୁ ଦୂରରେ ଦିଗ ବଦଳାଇ ଓଡ଼ିଶା ଉପକୂଳରୁ ଦୂରରେ ସମୁଦ୍ରରେ ପଶ୍ଚିମବଙ୍ଗ/ବାଂଲାଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ବାତ୍ୟାର ଭୀଷଣତା କମ୍‌ ରହିବ । କଣାସଠାରୁ କେନ୍ଦ୍ରାପଡ଼ା ଭିତରେ ପବନର ବେଗ ଘଣ୍ଟାପ୍ରତି ୪୫ କିମି ରହିବ ଓ ୬୦ରୁ ୮୦ ମିମି ବର୍ଷା‌ ହୋଇପାରେ । ଅନ୍ୟାନ୍ୟ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଅଞ୍ଚଳରେ ପବନ ଘଣ୍ଟାପ୍ରତି ୩୦ କିମି ଭିତରେ ଓ ବର୍ଷା ସ୍ବଳ୍ପରୁ ମଧ୍ୟମ ରହିବ। ୪ ଓ ୫ରେ ବର୍ଷା ହେବ। ୫ ରାତି ବା ୬ ତାରିଖ ସକାଳେ ଏହା ବାଂଲାଦେଶ ପହଞ୍ଚିବ।