ପାଖଉଛି ବାତ୍ୟା, ବଢାଉଛି ଭୟ । ଭୟଙ୍କର ହୋଇପାରେ ‘ଫୋନି’, ଲ୍ୟାଣ୍ଡଫଲ୍ ସମୟରେ ୨୨୫ କିଲୋମିଟର ବେଗରେ ବୋହିପାରେ ପବନ । 

332

କନକ ବ୍ୟୁରୋ : ସମସ୍ତଙ୍କ ନଜର ରହିଛି ଯେତେବେଳେ ବାତ୍ୟା ଫୋନି ପୁରୀରେ ଲ୍ୟାଣ୍ଡଫଲ କରିବ, ସେତେବେଳେ କଣ ରହିବ ପବନର ବେଗ । ଭାରତୀୟ ପାଣିପାଗ ବିଭାଗ କହୁଛି, ଲ୍ୟାଣ୍ଡଫଲ ସମୟରେ ପବନର ବେଗ ପୂର୍ବ ନିର୍ଦ୍ଧାରିତ ଠାରୁ ଅଧିକ ରହିବ ବୋଲି ଜଣାପଡିଛି । ଫୋନି ଯେତିକି ଯେତିକି ଓଡିଶା ଉପକୂଳ ପାଖଉଛି, ପବନର ବେଗ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସାମୁଦ୍ରିକ ଝଡ ଫୋନି ଓଡିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଂଟାକୁ ୨୧୦ କିଲୋମିଟର ରହିବ ।

ପୁରୀ ନିକଟରେ ବାତ୍ୟା ଫୋନି ସ୍ଥଳଭାଗ ଛୁଇଁଲା ବେଳକୁ କଣ ରହିବ ପବନର ବେଗ ଏହାରି ଉପରେ ରହିଛି ସମସ୍ତଙ୍କ ନଜର । ଫୋନି ଆସନ୍ତାକାଲି ପୁରୀ ନିକଟରେ ସ୍ଥଳଭାଗ  ଛୁଇଁବ ଆଉ ସେତେବେଳକୁ ପବନର ବେଗ ଘଂଟାକୁ ୧୭୦ରୁ ୧୮୦ ରହିବ । ଏହା ୨୦୦ କିଲୋମିଟର ଯାଏଁ ଛୁଇଁବାର ପୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସାମୁଦ୍ରିକ ଝଡ ଫୋନିକୁ ନେଇ ୟୁଏସ ନେଭି ଆକଳନ କରିଛି । ୧୯୯୯ ମହାବାତ୍ୟା ପରେ ଏହା ସବୁଠୁ ବଡ ବାତ୍ୟା ହେବ ବୋଲି ୟୁଏସ ନେଭି ପକ୍ଷରୁ କୁହାଯାଇଛି । ୟୁଏସ ନେଭି ଜେଡବ୍ଲ୍ୟୁଟିସିର ଆକଳନ ଅନୁଯାୟୀ ଭୟଙ୍କର ହୋଇପାରେ ବାତ୍ୟା ‘ଫୋନି’ । ଲ୍ୟାଣ୍ଡଫଲ୍ ସମୟରେ ଘଂଟାପ୍ରତି ପବନର ବେଗ ୨୧୨କିମିରୁ ୨୬୦କିମି ରହିବ ବୋଲି ଜେଡବ୍ଲ୍ୟୁଟିସିର ଆକଳନ କରିଛି ।

ସ୍କାଏମେଟ ୱେଦର ରିପୋର୍ଟ ଅନୁସାରେ, ସାମୁଦ୍ରିକ ଝଡ ଫୋନି ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଂଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବାର ସମ୍ଭାବନା ଅଛି । ତେବେ ସର୍ବାଧିକ ପବନର ବେଗ ଘଂଟା ପ୍ରତି ୨୧୦ କିଲୋମିଟର ରହିବ ବୋଲି ସ୍କାଏମେଟ ପୂର୍ବାନୁମାନ କରିଛି । ଏହାସହ ୯ଟି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରିଛି ସ୍କାଏମେଟ । ସେହି ଜିଲ୍ଲା ଗୁଡିକ ହେଲା, ଗଜପତି, ଗଂଜାମ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡା, ପୁରି, କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ।

ପବନର ବେଗ ନେଇ ଆକ୍ୟୁୱେଦର ରିପୋର୍ଟ ଅନୁସାରେ ସାମୁଦ୍ରିକ ଝଡ ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବା ସମୟରେ ଘଂଟା ପ୍ରତି ୨୧୦ କିଲୋମିଟର ବେଗରେ ବହିପାରେ ପବନ । ଏହାସହ ବାତ୍ୟା ଫୋନିକୁ କ୍ୟାଟେଗୋରୀ ୪ହରିକେନ ବର୍ଗରେ ରଖିଛି ଆକ୍ୟୁୱେଦର ।