ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୫୫ରୁ ୧୬୫ ବେଗରେ ବହିବ ପବନ । ୧୮୫କୁ ଯାଇପାରେ ପବନର ଝଟକା । ସ୍ଥଳଭାଗ ଛୁଇଁବା ପରେ କମିଯିବ ପବନର ଗତି ।

382

କନକ ବ୍ୟୁରୋ: ବାତ୍ୟା ଆସିଲେ ସବୁଠୁ ଅଧିକ କ୍ଷତି କରିଥାଏ ପବନ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଯଦି ପବନର ବେଗ ଅଧିକ ହୁଏ ତେବେ କ୍ଷୟକ୍ଷତି ସର୍ବାଧିକ ହୋଇଥାଏ । ତେବେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଆରମ୍ଭ ହୋଇଯାଇଛି । ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ହେଉଥିବାବେଳେ ପବନର ବେଗ ବଢ଼ିବାରେ ଲାଗିଛି । ଏବଂ ରହି ରହି ଝଟକା ଦେଉଛି ପବନ ।

ମଧ୍ୟରାତ୍ରରୁ ତୀବ୍ର ହେବ ପବନର ବେଗ

ଘଣ୍ଟା ପ୍ରତି ହୋଇପାରେ ୧୫୫ ରୁ ୧୬୫ କି.ମି.

ସମୁଦ୍ର ଭିତରେ ଉପକୂଳ ମୁହାଁ ହୋଇ ଆସୁଥିବା ବାତ୍ୟା ୟାସ୍ ସମୁଦ୍ରର ବଳ ଗୋଟାଇବାରେ ଲାଗିଛି । ଆଉ ଉପକୂଳର ଯେତିକି ନିକଟବର୍ତ୍ତୀ ହେଉଛି ତାର ପ୍ରଭାବରେ ପବନର ବେଗ ସ୍ଥଳ ଭାଗରେ ସେତିକି ବଢ଼ି ଚାଲିଛି । ଏସଆରସିଙ୍କ ସୂଚନା ଅନୁସାରେ ରାତି ୯ଟା ପରେ ସ୍ଥଳଭାଗରେ ପବନର ବେଗ ଅଧିକ ରହିବ ।

ଅନ୍ୟପଟେ ପାଣିପାଗ ପକ୍ଷରୁ ଜାରି କରାଯାଇଥିବା ବାତ୍ୟା ଗତିପଥରେ ପବନର ବେଗ କେତେ ରହିବ ତାହା ମଧ୍ୟ ଦର୍ଶାଇଛି । କୁହାଯାଇଛି, ମଧ୍ୟ ରାତ୍ରୀ ବେଳକୁ ସମୁଦ୍ର ଭିତରେ ପବନର ବେଗ ଘଂଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ପର୍ଯ୍ୟନ୍ତ ରହିବ । ବଳେବେଳେ ଏହା ୧୮୫ କିମି. ପର୍ଯ୍ୟନ୍ତ ବଢ଼ି ଝଟକା ଦେଇପାରେ । ସେହିପରି ସକାଳ ୬ଟା ବେଳକୁ ଘଂଟା ପ୍ରତି ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ । ଝଟକା ଦେଇ ବେଳେବେଳେ ଘଂଟା ପ୍ରତି ପବନର ବେଗ ୧୮୫ କିମି ହୋଇପାରେ । ସ୍ଥଳ ଭାଗରେ କିଛି ଘଂଟା ତାଣ୍ଡବ ରଚିବା ପରେ ଏହା ଉତ୍ତର ଓଡିଶା ମୁହାଁ ହେବ ଓ ତା ପରେ ପବନର ବେଗ କମିବ । ବୁଧବାର ସନ୍ଧ୍ୟା ବେଳକୁ ପବନର ବେଗ ଘଂଟାପ୍ରତି ପ୍ରାୟ ୯୦ ରୁ ଶହେ କିଲୋମିଟର ପର୍ଯ୍ୟନ୍ତ କମି ପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।