କନକ ବ୍ୟୁରୋ : ଅନେକ ସମୟରେ ବିଜୟର ଖୁସି ଆଖିରେ ଲୁହ ଆଣିଦିଏ । ବିଜୟର ସ୍ୱାଦ ନ ଚାଖିଛି ସିଏ ବା କଣ ଜାଣିଛି । ଛୋଟିଆ ବିଜୟ ପାଇଁ ବି କେତେ ଯେ କଷ୍ଟ କରିବାକୁ ହୁଏ ତାହା ଅନେକଥର ଆପଣ ଦେଖିଥିବେ । କିନ୍ତୁ ଯେତେବେଳେ ଫାଇନାଲ ମୁକାବିଲାରେ ସଫଳତା ମିଳିଥାଏ ତାହା ବଖାଣିବା ସହଜ ହୋଇନଥାଏ । ଠିକ୍ ସେହିଭଳି କିଛି ଦେଖିବାକୁ ମିଳିଛି ବିଗ୍ ବାସ ଲିଗରେ । ଚଳିତଥର ବିଗ୍ ବାସ ଲିଗରେ ଚାମ୍ପିୟନ ହୋଇ ପର୍ଥ ସ୍କଚର୍ସ ନୂଆ ଇତିହାସ ରଚିଛି । ଚତୁର୍ଥ ଥର ପାଇଁ ଚାମ୍ପିୟନ ହେବା ସହ ବିବିଏଲ ଇତିହାସରେ ସର୍ବାଧିକ ଥର ଚାମ୍ପିୟନ ହେବାର ରେକର୍ଡ କରିଛି । ଆଉ ଚାମ୍ପିୟନ ହେବା ପରର ଦୃଶ୍ୟ ପୂରା ବିଶ୍ୱ ଦେଖିଛି । ଆଉ ଏହା ମଧ୍ୟରେ ପର୍ଥ ସ୍କଚର୍ସ ଖେଳାଳୀଙ୍କ ସେଲିବ୍ରେସନର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁ ସେଲିବ୍ରେସନରେ ଟିମର ସାଥୀ ଖେଳାଳୀ ଜାଏ ରିଚାର୍ଡସନ ରକ୍ତାକ୍ତ ଭାବେ ଆହତ ହୋଇଛନ୍ତି ।
ଟିମ୍ ଚାମ୍ପିୟନ ହେବା ପରେ ପର୍ଥ ସ୍କଚର୍ସର ଖେଳାଳୀ ସେଲିବ୍ରେସନରେ ମାତିଥିବା ବେଳେ ରିଚାର୍ଡସନ ମଧ୍ୟ ଏଥିରେ ସାମିଲ ଥିଲେ । ଆଉ ହଠାତ୍ ସାଥୀ ଖେଳାଳୀଙ୍କ କାନ୍ଧ ରିଚାର୍ଡସନଙ୍କ ନାକ ଓ ପାଟିରେ ବାଜିଥିଲା । ଆଉ ରିଚାର୍ଡସନଙ୍କ ନାକ ଓ ପାଟିରୁ ଧାର ଧାର ହୋଇ ରକ୍ତ ବହୁଥିଲା । କିନ୍ତୁ ଏହା ଭିତରେ ବି ରିଚାର୍ଡସନଙ୍କ ମୁହଁରୁ ହସ ଲିଭିନଥିଲା । ଆଉ ଏହି ହସ ଥିଲା ବିଜୟର ହସ, କଷ୍ଟ କରିବା ପରେ ଫଳ ମିଳିବାର ହସ । ଆହତ ହେବା ପରେ ରିଚାର୍ଡସନ ଏକ ଇଣ୍ଟରଭ୍ୟୁ ଦେଇଥିଲେ । ଆଉ ଇଣ୍ଟରଭ୍ୟୁ ସମୟରେ ତାଙ୍କ ନାକରୁ ରକ୍ତର ଧାର ବହିବା ବନ୍ଦ ହେଉନଥିଲା । କିନ୍ତୁ ତାଙ୍କ ମୁହଁରେ ଥିବା ହସ ଅନେକଙ୍କୁ ବେଶ ପ୍ରଭାବିତ କରିଥିଲା ।ଦଳ ପ୍ରତି ତାଙ୍କର ନିଷ୍ଠା ଓ ଭଲପାଇବା ଏହି ହସ ମାଧ୍ୟମରେ ଝଲସୁଥିଲା ।
When celebrations go wrong, featuring Jhye Richardson 😂 pic.twitter.com/xAkvP59fqy
— 7Cricket (@7Cricket) January 28, 2022
ଚଳିତ ବିବିଏଲ ଫାଇନାଲରେ ସିଡନୀ ସିକ୍ସର୍ସକୁ ୭୯ ରନରେ ମାତ୍ ଦେଇ ଚାମ୍ପିୟନ ହୋଇଛି ପର୍ଥ ସ୍କଚର୍ସ । ଆଉ ଏହି ମ୍ୟାଚରେ ଦୁଇଟି ପ୍ରମୁଖ ୱିକେଟ ନେଇ ଦଳର ବିଜୟରେ ବଡ ଭୂମିକା ନେଇଥିଲେ ।