କନକ ବ୍ୟୁରୋ: ଦେଶରେ ଆଇଆରସିଟିସି ଭାରତ ଗୌରବ ଯାତ୍ରାର ଶୁଭାରମ୍ଭ କରିଛି । ଏହି ଯୋଜନାରେ ଯାତ୍ରୀମାନେ ସୁବିଧାର ସହ ଯାତ୍ରା କେମିତି କରିବେ ତାକୁ ଗୁରୁତ୍ୱ ଦିଆଯାଉଛି । ଯୋଜନାରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯାତ୍ରୀମାନେ ନେପାଳକୁ ମଧ୍ୟ ଯାତ୍ରା କରିପାରୁଛନ୍ତି । ଆଇଆରସିଟିସି ଦ୍ୱାରା ଚଳାଯାଉଥିବା ସ୍ୱତନ୍ତ୍ର ଟ୍ରେନ୍ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ତେବେ ବର୍ତ୍ତମାନ ଲୋକଙ୍କ ଆଗ୍ରହକୁ ଦେଖି ନେପାଳ ସହ ଅନ୍ୟ କିଛି ଦେଶକୁ ମଧ୍ୟ ଏହି ସ୍କିମରେ ଯାତ୍ରା କରିବା ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଦୁଇ ଦେଶକୁ ଯାତ୍ରା ଆଇଆରସିଟିସିର ଏହି ଯୋଜନାରେ ହୋଇପାରିବ ।

Advertisment

ପର୍ଯ୍ୟଟକମାନଙ୍କ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ଯାତ୍ରା ନେଇ ଆଗ୍ରହକୁ ଦେଖି ଆଇଆରସିଟିସି ଦ୍ୱାରା ଦୁଇଟି ମହତ୍ତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ ହେବ । ଏହି ଯୋଜନାରେ ଶ୍ରୀଲଙ୍କା ଏବଂ ନେପାଳକୁ ଯାତ୍ରୀ ଯିବା ପାଇଁ ନିଷ୍ପତ୍ତି ହୋଇଛି ।

ନେପାଳକୁ ଗସ୍ତ ପାଇଁ ଆପଣ ଦିଲ୍ଲୀ ଠାରୁ କାଠମାଣ୍ଡୁ ଏବଂ ପୋଖରାକୁ ଯାତ୍ରା କରିପାରିବେ । ଏହା ଏକ ବିମାନ ସେବାର ଯୋଜନା । ଯେଉଁ ଯୋଜନାରେ ଆପଣ ଦିଲ୍ଲୀରୁ କାଠମାଣ୍ଡୁ ବିମାନରେ ଯିବାଆସିବା କରିପାରିବେ । ଏହି ସ୍ୱତନ୍ତ୍ର ଯୋଜନାର ଲାଭ ଆପଣ ଅଗଷ୍ଟ ୨୧ରୁ ଉଠାଇପାରିବେ । ଏହି ଦିନ ବିମାନ ଦିଲ୍ଲୀରୁ ଉଡାଣ ଭରିବ । ସେଠାରେ ଆପଣଙ୍କ ପାଇଁ ଥ୍ରୀଷ୍ଟ୍ରାର ହେଟେଲରେ ରହଣୀ ଏବଂ ପ୍ରତ୍ୟେକ ଦିନ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

କାଠମାଣ୍ଡୁରେ ଆପଣ ପଶୁପତିନାଥ ମନ୍ଦିର, ପାଟନ ଏବଂ ତିବ୍ଦତ ଶରଣାର୍ଥୀ ଶିବିର ବୁଲିପାରିବେ । ସେହିଭଳି ପୋଖରାରେ ଆପଣ ମନୋକାମନା ମନ୍ଦିର ଏବଂ ସୁନ୍ଦର ପାହାଡର ଅନୁଭୂତି ନେଇପାରିବେ । ଏହାଛଡା ଯାତ୍ରୀମାନେ ଶ୍ରୀଲଙ୍କା ବୁଲିବାର ମଧ୍ୟ ମଜାନେଇପାରିବେ । ଯେଉଁଠାରେ ଆପଣ ଅନେକ ସ୍ଥାନୀୟ ଅଞ୍ଚଳ ବୁଲିବାର ମଜାନେଇପାରିବେ ।

ପ୍ରତ୍ୟେକ ସ୍ଥାନରେ ଆପଣ ବୁଲିବା ପାଇଁ ଏସି ଡିଲକ୍ସ ବସର ସୁବିଧା ପାଇବେ । ହିନ୍ଦୀ କିମ୍ବା ଇଂରାଜୀ କହିପାରୁଥିବା ଗାଇଡ ମଧ୍ୟ ଆପଣଙ୍କୁ ଉପଲବ୍ଧ କରାଇଦିଆଯିବ । ଏହି ପୂରା ଯାତ୍ରା ୬ ଦିନ ୫ ରାତିର ହେବ । ଯଦି ଆପଣ ଏକାକୀ ଏହି ଯାତ୍ରାର ମଜାନେବାକୁ ଚାହାନ୍ତି ତେବେ ଆପଣଙ୍କୁ ୪୮ ହଜାର ଟଙ୍କା ଦେବାକୁ ପଡିବ । ଯଦି ଦୁଇ ଗସ୍ତ କରନ୍ତି ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ଆପଣ ୩୮,୯୦୦ ଟଙ୍କା ପ୍ରଦାନ କରିବେ । ୩ ଜଣ ଯଦି ଆପଣ ଏକାଠୀ ଗସ୍ତ କରନ୍ତି ତେବେ ଜଣ ପିଛା ଆପଣ ୩୮୦୦୦ ଟଙ୍କା ପୈଠ କରିବେ । ଆଇଆରସିଟିସି ଏହାର ବୁକିଂ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ୟୁପିଆଇ ବ୍ୟବସ୍ଥା କରିଛି । ଆପଣ ଡେବିଡ୍ କିମ୍ବା କ୍ରେଡିଟ କାର୍ଡରେ ମଧ୍ୟ ଏହାର ଦେୟ ପୈଠ କରିପାରିବେ ।