ନାବାଳିକାଙ୍କ ସହ ଦୁଷ୍କର୍ମ କରି ସୁପ୍ରିମକୋର୍ଟ ଯାଇଥିଲେ ସରକାରୀ କର୍ମଚାରୀ : କୋର୍ଟ ପଚାରିଲେ ପୀଡିତାଙ୍କୁ ବିବାହ କରିବାକୁ ରାଜି କି? ବିବାହ କଲେ ଟାଳିଦେଇପାରୁ ଗିରଫଦାରି

ଓକିଲଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇ ୪ସପ୍ତାହ ପାଇଁ ଦେଲେ ଅନ୍ତରୀଣ ଜାମିନ୍

1,347

କନକ ବ୍ୟୁରୋ : ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ପଚାରିଲେ- ପୀଡିତାଙ୍କୁ ବିବାହ କରିବାକୁ ରାଜି କି? ତାହାହେଲେ ଆମେ ଗିରଫଦାରିକୁ ଟାଳି ଦେଇପାରିବୁ । ଗତକାଲି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ଭି ସୁବ୍ରମଣିୟନଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ଆଗରେ କିଛି ଏହିଭଳି ସର୍ତ ରଖିଥିଲେ ।

କଥାହେଲା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ମହାରାଷ୍ଟ୍ରର ଜଣେ ସରକାରୀ କର୍ମଚାରୀଙ୍କ ଆବେଦନର ଶୁଣାଣି କରୁଥିଲେ କୋର୍ଟ । ଏହି ମାମଲାରେ ସରକାରୀ କର୍ମଚାରୀ ଜଣକ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । କାରଣ ଯଦି ସେ ଗିରଫ ହୋଇ ପୋଲିସ ହାଜତରେ ରୁହନ୍ତି, ତାହେଲେ ତାଙ୍କ ଚାକିରି ଚାଲିଯିବାର ଆଶଙ୍କା ରହିଛି ।

ଏହି ମାମଲାର ଶୁଣାଣି ଚାଲିଥିବାବେଳେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଥିଲେ- ଆପଣ ତାଙ୍କୁ ବିବାହ କରିବାକୁ ଚାହାନ୍ତି କି ? ଯଦି ଆପଣ ତାଙ୍କୁ ବିବାହ କରିବାକୁ ରାଜି ଅଛନ୍ତି ତାହାହେଲେ ଆମେ ବିଚାର କରିବୁ । ନହେଲେ ଆପଣଙ୍କୁ ଜେଲ ଯିବାକୁ ପଡିବ । ଆମେ ଆପଣଙ୍କୁ ବିବାହ କରିବାକୁ ବାଧ୍ୟ କରୁନାହୁଁ । ଏହାର ଜବାବରେ ଅଭିଯୁକ୍ତଙ୍କ ଓକିଲ କହିଥିିଲେ ଯେ, ଗିରଫ ହେଲେ ତାଙ୍କ ଚାକିରି ଚାଲିଯିବ, ତେଣୁ ଆଗୁଆ ଜାମିନ ଦିଆଯାଉ ।

ଏହାର ଜବାବରେ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟରେ କୋର୍ଟ କହିଥିଲେ- ଆପଣ ସେହି ଝିଅଙ୍କ ସହ ଦୁଷ୍କର୍ମ କରିବା ପୂର୍ବରୁ ଏକଥା ଚିନ୍ତା କରିବାର ଥିଲା । ଆପଣ ଜାଣିଛନ୍ତି ଯେ, ଆପଣ ଜଣେ ସରକାରୀ ଚାକିରିଆ । ତଥାପି ଠିକ ସ୍ଥାନରେ ଜାମିନ ପାଇଁ ଆବେଦନ କରନ୍ତୁ । ଆମେ ଆପଣଙ୍କ ଗିରଫଦାରି ଉପରେ ରୋକ ଲଗାଉଛୁ । ଏହାପରେ କୋର୍ଟ ଅଭିଯୁକ୍ତଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।