ପଶ୍ଚିମ ଓଡ଼ିଶା ହେବ କି ‘୨୪’ ଲଢ଼େଇର ଯୁଦ୍ଧକ୍ଷେତ୍ର? ଓଡ଼ିଶା ପାଇଁ ସମ୍ବଲପୁରରୁ ନିର୍ବାଚନୀ ବିଗୁଲ୍ ବଜାଇବେ କି ମୋଦୀ?

3,125

କନକ ବ୍ୟୁରୋ: ଫେବ୍ର୍ରୁଆରୀ ୧୪ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସରକାରୀ କାର୍ଯ୍ୟକ୍ରମ ବାହାରେ ଜନସଭା ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ । ଯାହାକୁ ନେଇ ବେଶ ଉତ୍ସାହିତ ବିଜେପି ଶିବିର । ଓଡ଼ିଶା ପାଇଁ ସମ୍ବଲପୁରରୁ ମୋଦୀ ନିର୍ବାଚନୀ ବିଗୁଲ ବଜାଇପାରନ୍ତି ବୋଲି ଚର୍ଚ୍ଚା ବଢ଼ୁଛି । ଏହାରି ଭିତରେ ଶନିବାର ସମଲେଇ ପ୍ରକଳ୍ପ ଉଦଘାଟନ ପାଇଁ ସମ୍ବଲପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦଳର ଶୀର୍ଷ ନେତାଙ୍କ ସମ୍ବଲପୁର ଗସ୍ତ ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରରେ ରହିଛି ।

ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବଲପୁର ଆଇଆଇଏମ୍୍ର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ନରେନ୍ଦ୍ର ମୋଦୀ । ସରକାରୀ କାର୍ଯ୍ୟକ୍ରମ ବାହାରେ ଜନସଭା ଏବଂ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ସଭାପତି ସୂଚନା ଦେଇଛନ୍ତି । ଦିନକ ପରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଯାଉଥିବା ବେଳେ ଆସନ୍ତା ୧୪ ତାରିଖରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଆଉ ଠିକ୍ ଏମିତି ବେଳେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରୁ ନିର୍ବାଚନୀ ବିଗୁଲ୍ ବଜାଇବେ କି ନରେନ୍ଦ୍ର ମୋଦୀ ।

ନବୀନ ପଟ୍ଟନାୟକ      ନରେନ୍ଦ୍ର ମୋଦୀ            ରାହୁଲ ଗାନ୍ଧୀ
ଜାନୁୟାରୀ ୨୭         ଫେବୃୟାରୀ ୩            ଫେବୃୟାରୀ ୧୪

ରାଜନୀତିର ୩ ପ୍ରମୁଖ ଚେହେରା । ପରସ୍ପରଠାରୁ କିଛି ଦିନର ବ୍ୟବଧାନ ଭିତରେ ୩ ଜଣ ଶୀର୍ଷ ନେତାଙ୍କୁ ସମ୍ବଲପୁରରେ ଦେଖିବାକୁ ମିଳିବ । କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ହୋଇପାରେ, କିଏ ସରକାରୀ କାର୍ଯ୍ୟକ୍ରମରେ ଯାଉଛନ୍ତି, ତ ଆଉ କିଏ ଦଳୀୟ କାର୍ଯ୍ୟକ୍ରମରେ ଯାଉଛନ୍ତି । କିନ୍ତୁ ଆଗକୁ ୨୪ ନିର୍ବାଚନ ଥିବାରୁ ବଡ଼ ବଡ଼ ଚେହେରାଙ୍କ ଉପସ୍ଥିତି ରାଜନୈତିକ ଚର୍ଚ୍ଚା ବଢ଼ାଇ ଦେଇଛି ।
ସମ୍ବଲପୁରର ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଉଛନ୍ତି । ଏଥିପାଇଁ ସମ୍ବଲପୁରରେ ବିରାଟ ଆୟୋଜନ ହେଉଛି । ସେହିପରି ଆସନ୍ତା ୧୪ ତାରିଖରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଜରିଆରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଯାତ୍ର ସମ୍ବଲପୁର ଲୋକସଭା କ୍ଷେତ୍ର ଦେଇ ଗସ୍ତ କରିବ । ଆଉ ଏହା ପୂର୍ବରୁ ଆଇଆଇଏମ୍୍’ର ଏକ କାର୍ଯ୍ୟକ୍ରମ ପାଇଁ ୩ ତାରିଖରେ ସମ୍ବଲପୁର ଆସୁଛନ୍ତି ନରେନ୍ଦ୍ର ମୋଦୀ । ଯଦିଓ ଏହା ସରକାରୀ କାର୍ଯ୍ୟକ୍ରମ ତଥାପି ଜନସଭା ଏବଂ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁର ହେଉଛି ସେଇ ଲୋକସଭା କ୍ଷେତ୍ର, ଯାହା ପଶ୍ଚିମ ଓଡ଼ିଶାର ରାଜନୈତିକ ମାହୋଲକୁ ପ୍ରଭାବିତ କରେ । ଗତ ୨୦୧୯ ନିର୍ବାଚନରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଆସନରେ ବାଜି ମାରିନେଇଥିଲା ବିଜେପି । ଏଥର ବିଜେପିକୁ ଅଟକାଇବା ପାଇଁ ଭରପୁର ଉଦ୍ୟମ କରୁଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ସମ୍ବଲପୁର ଲୋକସଭା ଆସନ ଏଥିପାଇଁ ମଧ୍ୟ ଗୁରୁତ୍ୱ ରଖୁଛି କାରଣ, ଚର୍ଚ୍ଚା ହେଉଛି- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆସନରୁ ୨୪ ନିର୍ବାଚନ ଲଢ଼ିପାରନ୍ତି । ଏପଟେ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରେ ଅଟକାଇବା ପାଇଁ ବିଜେଡି, ଜଣେ ବଡ଼ ଚେହେରା ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସମ୍ବଲପୁର ଜିଲ୍ଲା ପ୍ରଭାରୀ ଏବଂ ସଂସଦୀୟ କ୍ଷେତ୍ର ପ୍ରଭାରୀ ଦାୟୀତ୍ୱ ମଧ୍ୟ ତୁଙ୍ଗ ନେତାଙ୍କୁ ଦିଆଯାଇଛି ।

ବଡ଼ କଥା ହେଉଛି, ପ୍ରଧାନମନ୍ତ୍ରୀଙ୍କ ପରେ ଅମିତ ଶାହା, ଜେପି ନଡ୍ଡା, ରାଜନାଥ ସିଂଙ୍କ ଭଳି ନେତା ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଜନୀତିର ଏହି ପ୍ରତିଯୋଗିତା ହୁଏତ ଆଗକୁ ଆହୁରି ବଢ଼ିବ, କାରଣ ଆଗକୁ ୨୪ ଲଢ଼େଇର ବଡ଼ ପରୀକ୍ଷା ଦେବାକୁ ଯାଉଛନ୍ତି ରାଜନୈତିକ ଦଳ ।