ଟି-୨୦ରେ ବିରାଟ କରିବେ କି ଓପନିଂ? କେଏଲ ରାହୁଲ ଦେଲେ ଏମିତି ଜବାବ

184

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଆଜିଠୁ ଆରମ୍ଭ ହେବ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ । ତେବେ ଏହି ସିରିଜ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଭାରତ ପକ୍ଷରୁ କିଏ ଓପନିଂ କରିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ସହ କିଏ କରିବ ଓପନିଂ? ବିରାଟ ନା କେଏଲ ରାହୁଲ? ଏଭଳି ପ୍ରଶ୍ନ ଏବେ ଫ୍ୟାନମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କାରଣ ଟି-୨୦ରେ ବିରାଟ ଓପନିଂ କରନ୍ତୁ ବୋଲି ଫ୍ୟାନମାନେ ସୋସିଆଲମିଡିଆରେ ଦାବି କରୁଛନ୍ତି ।

ଆଉ ଏହି ସବୁ ଚର୍ଚ୍ଚା ଭିତରେ ମୁହଁ ଖୋଲିଛନ୍ତି କେଏଲ ରାହୁଲ । ସେ କହିଛନ୍ତି, କିଏ ଓପନିଂ କରିବ ତାହା ପରିସ୍ଥିତି ଉପରେ ନିର୍ଭର କରିବ । ଆମେ କାହା ବିପକ୍ଷରେ ଖେଳୁଛୁ, ଆଉ ପିଚ କେମିତି ଅଛି ଏସବୁକୁ ନଜରରେ ରଖିବାକୁ ପଡିବ । ଏହାସହ ଟିମର ରଣନୀତିକୁ ମଧ୍ୟ ଆମକୁ ଅନୁସରଣ କରିବାକୁ ପଡିବ । ତେବେ ଏସିଆ କପରେ ହୋଇଥିବା ଭୁଲକୁ ମଧ୍ୟ ସେ ସ୍ୱିକାର କରିଛନ୍ତି । ଆଉ ଏଥିରୁ ଟିମ ଇଣ୍ଡିଆକୁ ଶିକ୍ଷା ମିଳିଛି ବୋଲି ସେ କହିଛନ୍ତି ।

ଏହାପୂର୍ବରୁ କ୍ୟାପଟେନ ରୋହିତ ଶର୍ମା ପ୍ରେସ କନଫରେନ୍ସରେ କେଏଲ ରାହୁଲ ଓପନିଂ କରିବେ ବୋଲି କହିସାରିଛନ୍ତି । ଆଉ ବିରାଟ ଥାର୍ଡ ଓପନିଂ ଦାୟିତ୍ୱ ସମ୍ଭାଳିବେ । ବିରାଟ ଟିମ ଇଣ୍ଡିଆ ପାଇଁ ଓପନିଂର ଏକ ବିକଳ୍ପ ବୋଲି ରୋହିତ ଶର୍ମା କହିଥିଲେ । ତେଣୁ ଏଥିରୁ ସ୍ପଷ୍ଟ ଯେ ଟି-୨୦ ବିଶ୍ୱକପରେ କେଏଲ ରାହୁଲ ହିଁ ଓପନିଂ କରିବେ । ହେଲେ ବିରାଟ କୋହଲି ଦଳ ପାଇଁ ଓପନିଂ କଲେ ତାହା ଟିମ ପାଇଁ ଫଳପ୍ରଦ ବୋଲି କିଛି ଲୋକ ଦାବି କରୁଛନ୍ତି ।

ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ରୋହିତଙ୍କ ସହ ଓପନିଂ କରିଥିଲେ । ୧୨୨ ରନର ଦମଦାର ଶତକୀୟ ଇଂନିସ ଖେଳିଥିଲେ । ଯାହା ତାଙ୍କୁ ୭୧ ତମ ଶତକ ରୂପରେ ମିଳିଥିଲା । ତେବେ ଦୀର୍ଘ ୨ ବର୍ଷ ଧରି ଗୋଟିଏ ବି ଶତକ ହାସଲ କରିପାରୁନଥିବା ବ୍ୟାଟର ଓପନିଂ କରୁ କରୁ ଗୋଟିଏ ଦମଦାର ପାଳି ଖେଳିଥିଲା । ଯାହା ଅନେକ ଭାରତୀୟଙ୍କ ପାଇଁ ଖୁସିର ମୁହୂର୍ତ୍ତ ଥିଲା । ଆଉ ଏହାପରଠୁ ବିରାଟ ଓପନିଂ କରନ୍ତୁ ବୋଲି ଦାବି ଜୋର ଧରିଥିଲା ।

ତେବେ ଟିମ ଇଣ୍ଡିଆ ପକ୍ଷରୁ କିଏ ଓପନିଂ କଲେ ଦଳକୁ ସଫଳତା ମିଳିବ? ପୂର୍ବ ଭଳି କେଏଲ ରାହୁଲ ଓପନିଂ କରିବେ ନା ବିରାଟଙ୍କୁ ଦିଆଯିବା ଦାୟିତ୍ୱ ତାହା ଉପରେ ରହିଛି ଫ୍ୟାନମାନଙ୍କ ନଜର ।