କନକ ବ୍ୟୁରୋ : ବିରାଟ କୋହଲିଙ୍କ ବଦଳରେ ରୋହିତଙ୍କୁ ଭାରତୀୟ ଦିନିକିଆ ଦଳର ନିୟମିତ ଅଧିନାୟକ ଦାୟିତ୍ୱ ମିଳିବା ପରେ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଟିମ୍ ଇଣ୍ଡିଆରେ ସବୁ କିଛି ଠିକ୍ ନାହିଁ ବୋଲି ଖବର ଶୁଣିବାକୁ ମିଳୁଛି । ଏପରିକି ବିିସିସିଆଇର ଏଭଳି ନିଷ୍ପତ୍ତିକୁ ନେଇ ବିରାଟ କୋହଲି ଖୁସି ନଥିବା ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚା ହେବା ପଛର ସବୁଠୁ ବଡ କାରଣ ହେଲା, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଚାଲିଥିବା ଟ୍ରେନିଂ କ୍ୟାମ୍ପରେ ସାମିଲ ହୋଇନାହାନ୍ତି ବିରାଟ । ଯାହା ସଂକେତ ଦେଉଛି ଯେ, ଅଧିନାୟକ ପଦରୁ ହଟାଯିବା ପରେ କୋହଲି ଖୁସି ନାହାନ୍ତି ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କୋହଲିଙ୍କୁ ଟ୍ରେନିଂ କ୍ୟାମ୍ପରେ ସାମିଲ ହେବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା । କିନ୍ତୁ ରବିବାର କ୍ୟାମ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏଥିରେ ସାମିଲ ହୋଇନଥିଲେ କୋହଲି । ମୁମ୍ବାଇରେ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପରେ ରୋହିତ ଶର୍ମା, ରିଷଭ ପନ୍ତ, ଶାର୍ଦ୍ଦୁଳ ଠାକୁରଙ୍କ ସମେତ ଅନେକ ଖେଳାଳୀ ଏଥିରେ ସାମିଲ ହୋଇଥିବା ବେଳେ ବିରାଟଙ୍କୁ ଦେଖିବାକୁ ମିଳିନଥିଲା । ଆସନ୍ତା ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଗସ୍ତ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।

୨୬ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବ ଭାରତୀୟ ଟିମ୍ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ସେଞ୍ଚୁରିଆନରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ୩ ଜାନୁଆରୀ ଓ ତୃତୀୟ ଟେଷ୍ଟ ୧୧ ଜାନୁଆରୀରୁ ଖେଳାଯିବ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ତେବେ ଏସବୁ ଭିତରେ ଦିନିକିଆ ଅଧିନାୟକ ରୋହିତ କହିଛନ୍ତି, ଗତ ୫ ବର୍ଷ ହେବ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିରାଟ । ପ୍ରତି ମ୍ୟାଚରେ କୋହଲି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହିଁଛନ୍ତି ଏବଂ ପୂରା ଟିମ୍ ପାଇଁ ମଧ୍ୟ ଏଭଳି ଏକ ପରମ୍ପରା ସୃଷ୍ଟି କରିଛନ୍ତି । କୋହଲିଙ୍କ ନେତୃତ୍ୱରେ ଗତ ୫ ବର୍ଷରେ ଟିମ୍ ଥରୁଟିଏ ମଧ୍ୟ ପଛକୁ ଫେରି ଚାହିଁନାହିଁ । କୋହଲିଙ୍କ ନେତୃତ୍ୱରେ ଖେଳିବା ଆମ ପାଇଁ ବେଶ ସ୍ମରଣୀୟ ରହିବ । ଆମେ ସାଙ୍ଗ ହୋଇ ଅନେକ ମ୍ୟାଚ୍ ଖେଳିଛୁ ଓ ପ୍ରତି ମ୍ୟାଚର ଆନନ୍ଦ ଉଠାଇଛୁ । ଆଗକୁ ମଧ୍ୟ ଏହି ଯାତ୍ରା ଜାରି ରହିବ । ଟିମକୁ କିଭଳି ଆହୁରି ଶକ୍ତିଶାଳୀ କରାଯିବ ତାହା ଉପରେ ଧ୍ୟାନ ଦିଆଯିବ । ଖେଳାଳୀ ଭାବେ ଲୋକ କଣ କହୁଛନ୍ତି ସେ ବାବଦରେ ଆମେ ଧ୍ୟାନ ଦେଉନାହୁଁ । କେମିତି ମ୍ୟାଚର ଫଳାଫଳ ଟିମ୍ ଇଣ୍ଡିଆ ସପକ୍ଷରେ ଆସିବ ତାହା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି କହିଛନ୍ତି ରୋହିତ ।