ଧର୍ମେନ୍ଦ୍ରଙ୍କୁ ଶିକ୍ଷା ବିଭାଗର ଦାୟିତ୍ୱ ମିଳିଲା, ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ସମ୍ଭାବନା ବଢିଲା । ଦୁଇ ପୁରୁଣା ବନ୍ଧୁଙ୍କ ହାତରେ ଶିକ୍ଷା ବିଭାଗର ଗୁରୁଦାୟିତ୍ୱ ।

294

କନକ ବ୍ୟୁରୋ : କେନ୍ଦ୍ରରେ ଧର୍ମେନ୍ଦ୍ର, ରାଜ୍ୟରେ ଅରୁଣ । ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିବି କି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା? ସୋସିଆଲ ମିଡ଼ିଆରେ ଏଭଳି ଏକ ଦାବି ଏବେ ଜୋର ଧରିଛି । ଆଉ ଏହା ପଛର କାରଣ ଜାଣିବାକୁ ହେଲେ ୨୦୨୦ ନଭେମ୍ବର ୨୭କୁ ଫେରିବାକୁ ପଡିବ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ସେତେବେଳର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ନିକଟକୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାଦ୍ୱାରା ଉପକୂଳ ଓଡ଼ିଶାର ଛାତ୍ରଛାତ୍ରୀ ଉପକୃତ ହେବା ସହ ଗବେଷଣାକୁ ପୋତ୍ସାହନ ମିଳିବ ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଥିଲେ । ଆଉ ସମୟକ୍ରମେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ଅଦଳବଦଳ ସହ ଧର୍ମେନ୍ଦ୍ରଙ୍କୁ ମିଳିଛି ଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ୱ । ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଖୁବଶୀଘ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ ବୋଲି ଅନୁମାନ କରାଯାଉଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମୁନି ବା ପୁରାତନ ଛାତ୍ର ହେଉଛନ୍ତି ଧର୍ମେନ୍ଦ୍ର । ଆଉ ସଂଯୋଗ ଦେଖନ୍ତୁ ରାଜ୍ୟର ଶିକ୍ଷାମନ୍ତ୍ରୀ ଥିବା ଅରୁଣ ସାହୁ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର । ବିଶ୍ୱବିଦ୍ୟାଳୟ ସ୍ତରରେ ଉଭୟ ପରସ୍ପର ବିରୋଧରେ ନିର୍ବାଚନ ଲଢିଛନ୍ତି । ଆଉ ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ବିଭାଗର ମନ୍ତ୍ରୀ ରହିଛନ୍ତି । ତେଣୁ ଏଭଳି ସୁବର୍ଣ୍ଣ ସୁଯୋଗ ହୁଏତ ଆଉ କେବେ ଆସିନପାରେ । ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଦେବାକୁ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍ ମାନେ ଦାବି ଉଠାଇଲେଣି ।

ଯେହେତୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ଭିତରେ ସମନ୍ୱୟ ରହିବାର ଆବଶ୍ୟକତା ରହିଛି ତେଣୁ ଉଭୟ ଶିକ୍ଷା ମନ୍ତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଦେବା ଦିଗରେ ସେତୁ ଭଳି କାମ କରିବା ଉଚିତ ବୋଲି ମତପ୍ରକାଶ ପାଇଛି । କେନ୍ଦ୍ର ପ୍ରସ୍ତାବ ଦେଲେ ରାଜ୍ୟ ଗ୍ରହଣ କରିବ ନଚେତ ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରିବା ଭିତରେ ଯେଉଁ ସମସ୍ୟା ଦେଖାଦିଏ ତାହା ହୁଏତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଦେଖିବାକୁ ନ ମିଳିପାରେ । କାରଣ ପୂର୍ବରୁ ମଧ୍ୟ ଉଭୟ ଧର୍ମେନ୍ଦ୍ର ଓ ଅରୁଣଙ୍କ ଉଦ୍ୟମକ୍ରମେ ଦୀର୍ଘ ବର୍ଷ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସଫଳତାର ଶେଷ ହୋଇଥିଲା । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦେଶର ଉନ୍ନତ ମାନର ଶିକ୍ଷାନୁଷ୍ଠାନ ଭାବେ ଗଢିତୋଳିବା ପାଇଁ ଯେଉଁ ସହଯୋଗ ଆବଶ୍ୟକ ତାହା ଯୋଗାଇବାକୁ ଉଭୟ ଅନେକ ସମୟରେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବେ ଗଢିତୋଳିବାକୁ ଉଭୟ କେଉଁଭଳି ଭାବେ ଉଦ୍ୟମ କରୁଛନ୍ତି ତାହା ଉପରେ ନଜର ରହିବ ।

କେବଳ ଯେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ତାହା ନୁହେଁ ବରଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଉଭୟ ପୁରୁଣା ବନ୍ଧୁ କଣ ପଦକ୍ଷେପ ନେଉଛନ୍ତି ତାହା ବେଶ ଗୁରୁତ୍ୱ ବହନ କରିବ । ଏହାବାଦ୍ ଓଡ଼ିଶାରେ ଆଉ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ପୂର୍ବରୁ ଧର୍ମେନ୍ଦ୍ର ଯେଉଁ ଦାବି ରଖିଥିଲେ ତାହା କେତେ ଦୂର ଆଗାଉଛି ଓ ରାଜ୍ୟ ଶିକ୍ଷା ମନ୍ତ୍ରୀ ଥିବା ଅରୁଣ ସାହୁ ଏ ଦିଗରେ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା କରି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଗେଇ ନେବାକୁ କେତେ ତତ୍ପରତା ପ୍ରକାଶ କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କର ନଜର ରହିବ । କିନ୍ତୁ ଉଭୟ ବନ୍ଧୁଙ୍କ ସହଯୋଗରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସୁବର୍ଣ୍ଣ ଯୁଗ ଆରମ୍ଭ ହେଉ ତାହା ସମସ୍ତଙ୍କର କାମନା ।