ରାଜ୍ୟରେ କମୁଛି ସଂକ୍ରମଣ ହାର, ରଜ ପରେ ଆରମ୍ଭ ହେବ କି ଅନଲକ୍ । ୫ ପ୍ରତିଶତରୁ କମ୍ ସଂକ୍ରମଣ ଥିବା ୧୩ ଜିଲ୍ଲାରେ କୋହଳ ହୋଇପାରେ କଟକଣା 

447

କନକ ବ୍ୟୁରୋ: ଧିରେ ଧିରେ ରାଜ୍ୟରେ ଟେଷ୍ଟ ପଜିଟିଭିଟି ରେଟ୍ କମିବାରେ ଲାଗିଛି । କିିଛି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ଥିବା ବେଳେ ୧୩ଟି ଜିଲ୍ଲାରେ ୫ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ ହାର । ସଂକ୍ରମଣ ହାର ଦୃଷ୍ଟିରୁ ଏହି ସବୁ ଜିଲ୍ଲାକୁ ଗ୍ରୀନ ଜୋନ୍ରେ ରଖିଛି ସ୍ୱାସ୍ଥ୍ୟ ବିଭାଗ । ପଜିଟିଭିଟି ରେଟ୍ ସବୁଠୁ କମ ରହିଛି ଝାରସୁଗୁଡ଼ାରେ । ଝାରସୁଗୁଡ଼ାରେ ୧.୪ ପ୍ରତିଶତ ରହିଥିବା ବେଳେ ପ୍ରଥମ ଲହରରେ ଚିନ୍ତା ସୃଷ୍ଟି କରିଥିବା ଗଂଜାମ ଜିଲ୍ଲାର ସଂକ୍ରମଣ ହାର ରହିଛି ୧.୫ ପ୍ରତିଶତ ।

ଏପରିକି ସୁନ୍ଦରଗଡ଼ ଓ ସମ୍ବଲପୁରରେ ବି ଦୁଇ ପ୍ରତିଶତ ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ । ସେହିପରି ନୂଆପଡ଼ା ଓ ଗଜପତି ଓ ୪ ପ୍ରତିଶତ ତଳେ ରହିଛି ବଲାଙ୍ଗିର, କନ୍ଧମାଳ, ସୋନପୁର ଓ କଳାହାଣ୍ଡି ଜିଲ୍ଲା । ସେହିପରି ୫ ପ୍ରତିଶତ ତଳକୁ ଖସିଛି ବରଗଡ଼, ଦେବଗଡ଼ ଓ କେନ୍ଦ୍ରାପଡ଼ାର ସଂକ୍ରମଣ ହାର । ତେଣୁ ଏହି ସବୁ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ରାଜ୍ୟ ସରକାର ।

୫ ପ୍ରତିଶତ ତଳେ ସଂକ୍ରମଣ ହାର

ଜିଲ୍ଲା ସଂକ୍ରମଣ ହାର

ଝାରସୁଗୁଡ଼ା ୧.୪ %

ଗଂଜାମ ୧.୫ %

ସୁନ୍ଦରଗଡ଼ ୧.୯ %

ସମ୍ବଲପୁର ୧.୯ %

ନୂଆପଡ଼ା ୨.୫ %

ଗଜପତି ୨.୫ %

ବଲାଙ୍ଗିର ୩.୧ %

କନ୍ଧମାଳ ୩.୫ %

ସୋନପୁର ୩.୭ % 

କଳାହାଣ୍ଡି ୩.୯ %

ବରଗଡ଼ ୪.୩ %

ଦେବଗଡ଼ ୪.୭ %

କେନ୍ଦ୍ରାପଡ଼ା ୪.୭ %

ସେପଟେ ୯ଟି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ରହିଛି । ଏହିସବୁ ଜିଲ୍ଲାକୁ ସଂକ୍ରମଣ ହାର ଦୃଷ୍ଟିରୁ ରେଡ ଜୋନ୍ରେ ରଖାଯାଇଛି । ୧୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ରହିଛି ପଜିଟିଭିଟି ରେଟ୍ । ଯାଜପୁରର ସ୍ଥିତି ସବୁଠୁ ଉଦବେଗଜନକ ରହିଛି । ଏହି ଜିଲ୍ଲାରେ ସଂକ୍ରମଣ ହାର ରହିଛି ୨୦.୮ ପ୍ରତିଶତ । ଏହା ତଳକୁ ରହିଛି ପୁରୀ, ସଂକ୍ରମଣ ହାର ୧୪.୨ ପ୍ରତିଶତ । ବୌଦ୍ଧରେ ୧୧.୬ ଏବଂ କେନ୍ଦୁଝର ଓ ଢ଼େଙ୍କାନାଳରେ ସଂକ୍ରମଣ ହାର ୧୧.୫ ପ୍ରତିଶତ ଥିବା ଖୋର୍ଦ୍ଧାରେ ରହିଛି ୧୧.୪ ପ୍ରତିଶତ । କଟକ ଓ ନୟାଗଡ଼ରେ ୧୦ ପ୍ରତିଶତ ଉପରେ ରହିଛି ସଂକ୍ରମଣ ହାର ।

୧୦ ପ୍ରତିଶତ ଉପରେ ସଂକ୍ରମଣ ହାର

ଜିଲ୍ଲା ସଂକ୍ରମଣ ହାର

ଯାଜପୁର ୨୦.୮ %

ପୁରୀ ୧୪.୨ %

ବୌଦ୍ଧ ୧୧.୬ %

କେନ୍ଦୁଝର ୧୧.୫ %

ଢେଙ୍କାନାଳ ୧୧.୫ %

ଖୋର୍ଦ୍ଧା ୧୧.୪ %

କଟକ ୧୦.୭ %

ନୟାଗଡ଼ ୧୦.୧ %

ରାୟଗଡ଼ା ୧୦ % 

ଏହି ସବୁ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିବାରୁ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ତେବେ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ଗୋଟିଏ ପଟେ ଦୈନିକ ସଂକ୍ରମଣ କମିବାରେ ଲାଗିଛି, ଅନ୍ୟପଟେ ସୁସ୍ଥହାର ବଢ଼ିବାରେ ଲାଗିଛି । ଗତ ୨୪ଘଂଟାରେ ରାଜ୍ୟରେ ୪ ହଜାର ୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସଂକ୍ରମଣ ହାର ୭.୨୦ ପ୍ରତିଶତ କୁ ଖସି ଆସିଛି ।

ସେପଟେ ଦେଶରେ ଦ୍ରୁତ ଗତିରେ ବଢ଼ୁଛି ସୁସ୍ଥ ହାର, କମୁଛି ସଂକ୍ରମଣ ହାର । ଦେଶରେ ସଂକ୍ରମଣ ହାର ୪.୨୫ ପ୍ରତିଶତକୁ ହ୍ରାସ ପାଇଛି । ଲଗାତାର ଭାବେ ଷଷ୍ଠ ଦିନ ପାଇଁ  ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୧ଲକ୍ଷ ତଳେ ରହିଛି । ୨୪ଘଂଟାରେ ୮୦ ହଜାର ୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।