ଓଡିଶାରୁ ନିର୍ବାଚନ ଲଢିବେ କି କେନ୍ଦ୍ରମନ୍ତ୍ରୀ ? ଗତକାଲି ଇସାରା ଇସାରାରେ କହିଥିଲେ ରାଜା ବାବୁ ଚାହିଁଲେ ସମ୍ବଲପୁରରୁ ହୋଇପାରନ୍ତି ପ୍ରାର୍ଥୀ, ନୀତେଶ କହିଲେ, ଦଳ ଚାହିଁଲେ ଧର୍ମେନ୍ଦ୍ରଙ୍କ ପାଇଁ ଛାଡିଦେବି ଆସନ ।

293

କନକ ବ୍ୟୁରୋ: ଓଡିଶାରୁ ନିର୍ବାଚନ ଲଢିବାକୁ ଆଗ୍ରହୀ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗାଁରେ ଧର୍ମେନ୍ଦ୍ର ଦେଇଥିବା ଏକ ବୟାନ ଏଭଳି ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଗତକାଲି ଧର୍ମେନ୍ଦ୍ର କହିଥିଲେ ରାଜା ଚାହିଁଲେ ସେ ସାଂସଦ ହେବେ । ଅର୍ଥାତ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଆଡ଼କୁ ସେ ଇସାରା କରିଥିଲେ । ଧର୍ମେନ୍ଦ୍ରଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ।

ନିତେଶ ଗଙ୍ଗଦେବ କହିଛନ୍ତି କି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହିଁଲେ, ସମ୍ବଲପୁର, ଭୁବନେଶ୍ୱର କିମ୍ବା ରାଜ୍ୟର ଯେକୌଣସି ସ୍ଥାନରୁ ଛିଡାହୋଇପାରନ୍ତି । ଏପରିକି ଦଳ ଚାହିଁଲେ ସେ ଧର୍ମେନ୍ଦ୍ରଙ୍କ ପାଇଁ ଆସନ ଛାଡିଦେବେ ବୋଲି କହିଛନ୍ତି । ପୂର୍ବରୁ ବିଧାୟକ ଥିଲେ, ଦଳ ଚାହିଁବାରୁ ସେ ସମ୍ବଲପୁର ସାଂସଦ ହୋଇ ଜିଲ୍ଲାବାସୀଙ୍କ ସେବା କରୁଥିବା କହିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟେକ୍ଷ ନିର୍ବାଚନ ପ୍ରତିଯୋଗିତାରୁ ଦୂରେଇ ରହିଛନ୍ତି । ୨୦୧୯ ନିର୍ବାଚନରେ ଚର୍ଚ୍ଚା ହେଉଥିଲା କି ସେ ସମ୍ବଲପୁରରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି । ଯାହା ଏବେ ବିଜେପିର ପାରମ୍ପାରିକ ଗଡ଼ରେ ପରିଣତ ହୋଇସାରିଛି । ଗତ ସାଧାରଣ ନିର୍ବାଚନରେ ନିତେଶ ଗଙ୍ଗଦେବ ଏଠୁ ବାଜିମାରିଛନ୍ତି । ଧର୍ମେନ୍ଦ୍ରଙ୍କ ବୟାନ ଓ ନୀତେଶ ସମ୍ମତି ପରେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଳଢିବା ନେଇ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।