ଟ୍ରିପଲ ତଲାକ ବିଲ ଲୋକସଭାର ପାସ୍: ଭୋଟଦାନ ପୂର୍ବରୁ କଂଗ୍ରେସ ଓ ବିଜେଡିର କକ୍ଷତ୍ୟାଗ, ଏବେ ରାଜ୍ୟସଭାରେ ହେବ ଅସଲି ପରୀକ୍ଷା

138

କନକ ବ୍ୟୁରୋ: ହଙ୍ଗାମା ହଟ୍ଟଗୋଳ ପରେ ଲୋକସଭାରେ ତିନ୍ ତଲାକ୍ ବିଧେୟକ ପାସ ହୋଇଛି । ଏହା ସପକ୍ଷରେ ୨୪୫ଟି ଭୋଟ ପଡିଥିଲା ଆଉ ବିରୋଧରେ ପଡିଥିଲା ୧୧ଟି ଭୋଟ । ଏହି ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ସଦସ୍ୟମାନେ ଗୃହ ତ୍ୟାଗ କରିଥିଲେ । ଗୃହରେ ବିଲ ଉପସ୍ଥାପନ କରିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ସେହିପରି ଭୋଟଦାନ ପୂର୍ବରୁ କଂଗ୍ରେସ, ବିଜେଡି,ଏଆଇଡିଏମକେ ସାଂସଦମାନେ କକ୍ଷତ୍ୟାଗ କରିଥିଲେ । ଏବେ ବିଲ ରାଜ୍ୟସଭାକୁ ଯିବ । ତେବେ ସଂଖ୍ୟାବଳ ଏନଡିଏ ସପକ୍ଷରେ ନଥିବାରୁ ତିନି ତଲାକ ବିଲର କଣ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି ।

ଗତବର୍ଷ ମଧ୍ୟ ଲୋକସଭାରେ ତିନି ତଲାକ ବିଲ ପାସ ହୋଇ ରାଜ୍ୟସଭାକୁ ଯାଇଥିଲା । ହେଲେ କଂଗ୍ରେସ ସମେତ ବିରୋଧୀ ସାଂସଦଙ୍କ ବିରୋଧ ଯୋଗୁଁ ବିଲ ପାସ ହୋଇପାରିନଥିଲା । ପରେ ବାଧ୍ୟ ହୋଇ କେନ୍ଦ୍ର ସରକାର ତିନି ତଲାକ ବିଲରେ କେତକ ସଂଶୋଧନ ଆଣି ପୁଣି ସଂସଦରେ ଉପସ୍ଥାପନ କରିଛନ୍ତି । ରାଜ୍ୟସଭାରେ ଏନଡିଏର ସଦସ୍ୟ ସଂଖ୍ୟା ୮୬ ରହିଛନ୍ତି । ଏଥିମଧ୍ୟ୍ରୁ ବିଜେପିର ୭୩, ଜେଡିୟୁ ୬, ଶିବସେନା ୩, ଅକାଳୀ ଦଳ ୩ ଓ ଆରପିଆଇର ଜଣେ ସଦସ୍ୟ ଅଛନ୍ତି ।

 

ସେହିଭଳି ବିରୋଧୀ ଦଳଙ୍କ ପାଖରେ ୯୭ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସର ୫୦ ଜଣ, ସମାଜବାଦୀ ପାର୍ଟି ଓ ଟିଏମସିର ୧୩ ଲେଖାଁଏ ସଦସ୍ୟ ଅଛନ୍ତି । କୌଣସି ମେଂଟରେ ସାମିଲ ନଥିବା ଟିଆରସିର ୬. ବିଜେଡିର ୯ ଓ ଏଆଇଏଡିଏମକେ ପାଖରେ ୧୩ ଜଣ ସଦସ୍ୟ ଅଛନ୍ତି । ଏବେ ପ୍ରଶ୍ନ ଉଠୁଛି ରାଜ୍ୟରେ ତିନି ତଲାକ ବିଲର କଣ ହେବ ।