ବଦଳିବ କି ଟିମଏସିର ନାଁ? ଆରମ୍ଭ ହେଲାଣି ଚର୍ଚ୍ଚା, ମମତା ନେଇପାରନ୍ତି ବଡ ନିଷ୍ପତ୍ତି ।

299

କନକ ବ୍ୟୁରୋ : ବଦଳିବ କି ଟିଏମସିର ନାଁ? ଜାତୀୟସ୍ତରର ରାଜନୀତିରେ  ପ୍ରଭାବ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିବା ତୃଣମୂଳ କଂଗ୍ରେସର ଖୁବଶୀଘ୍ର ନାମ ପରିବର୍ତ୍ତନ ହୋଇପାରେ । ଯାହାକୁ ନେଇ ଦଳ ଭିତରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏନେଇ ଶେଷ ନିଷ୍ପତ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନେବେ । ଟିଏମସିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ଦଳ ଭିତରେ ନାଁ ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏନେଇ କୌଣସି ଶେଷ ନିଷ୍ପତ୍ତି ନିଆଯାଇନାହିଁ ।

କେବଳ ଦଳର ନାମ ପରିବର୍ତ୍ତନ ନୁହେଁ ବରଂ ଟିଏମସିର ସମ୍ବିଧାନ ପରିବର୍ତ୍ତନର ଯଥେଷ୍ଟ ସମ୍ଭାବନା ରହିଛି । ଦଳର କାର୍ଯ୍ୟକାରିଣୀ କମିଟିରେ ଅନ୍ୟ ରାଜ୍ୟର ନେତାଙ୍କୁ ସାମିଲ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଉଥିବା ଚର୍ଚ୍ଚା ହେଉଛି । ଏବେ ଟିଏମସିର କାର୍ଯ୍ୟକାରିଣୀ କମିଟିରେ କେବଳ ପଶ୍ଚିମବଙ୍ଗର ନେତା ସାମିଲ ଅଛନ୍ତି । ଏଭଳିସ୍ଥଳେ ଦଳର କଳେବର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ଟିଏମସିର ନଜର ଅନ୍ୟ ରାଜ୍ୟ ଗୁଡିକ ଉପରେ ରହିଛି । ଏବେ ଟିଏମସି ପଶ୍ଚିମବଙ୍ଗ ବ୍ୟତୀତ ତ୍ରିପୁରା, ମେଘାଳୟ ଓ ଗୋଆରେ ନିଜର ଦଳକୁ ବିସ୍ତାର କରିବାରେ ଲାଗିଛି । ଯେଉଁଥିପାଇଁ ବିଭିନ୍ନ ଦଳର ନେତାଙ୍କୁ ସାମିଲ କରି ଟିଏମସିକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି ମମତା ।

କୌଣସି ବି ଦଳ ନିଜର ନାଁ ବଦଳାଇପାରିବେ । କିନ୍ତୁ ନୂଆ ନାମ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ । ଏବେ ଟିଏମସି ଜାତୀୟ ଦଳ ଭାବେ ମାନ୍ୟତା ପାଇଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଦଳ ପଶ୍ଚିମବଙ୍ଗ ଭିତରେ ସୀମିତ ରହିଥିଲା । କିନ୍ତୁ ଏବେ ଯେହେତୁ ଦଳର ନବକଳେବର ବୃଦ୍ଧି କରିବାକୁ ଟିଏମସି ଚାହୁଁଛି ତେଣୁ ସମ୍ବିଧାନ ସହ ନାମ ବଦଳାଇବାର ଯଥେଷ୍ଟ ସମ୍ଭାବନା ରହିଛି ।