ହେବ କି ତୃତୀୟ ବିଶ୍ୱଯୁଦ୍ଧ? ଆଶଙ୍କା ବଢାଉଛି ଋଷ-ୟୁକ୍ରେନ ଯୁଦ୍ଧ

200

କନକ ବ୍ୟୁରୋ: ଭୟଙ୍କର ହେବାରେ ଲାଗିଛି ଋଷ ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧ ଏବେ ବିଶ୍ୱର ବିଭିନ୍ନ ଦେଶଗୁଡିକୁ ୨ ଭାଗରେ ବାଣ୍ଟି ଦେଇଛି । ଯୁଦ୍ଧ ଏତେ ମାତ୍ରାରେ ବଢିଯାଇଛି ପରମାଣୁ ଧମକ ମଧ୍ୟ ମିଳୁଛି । ଶାନ୍ତି ପାଇଁ ବାରମ୍ବାର ଅପିଲ ହେଉଥିଲେ ବି ପରିସ୍ଥିତିକୁ ଦେଖି ଲାଗୁନି ଲାଗିଥିବା ଏହି ନିଆଁ ଶୀଘ୍ର ଥମିବ ବୋଲି । ଯଦି ଏଭଳି ଯୁଦ୍ଧ ଲାଗି ରହିବ ତେବେ ଏହା ଆଉ ଏକ ବିଶ୍ୱ ଯୁଦ୍ଧର ରୂପ ନେଇପାରେ । ପୂର୍ବରୁ ମଧ୍ୟ କିଛି ବିଶେଷଜ୍ଞ ବିଶ୍ୱ ଯୁଦ୍ଧ ହେବା ନେଇ ଆଶଙ୍କା କରିସାରିଛନ୍ତି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରମାଣୁ ଅସ୍ତ୍ରର ଭୟଙ୍କର କ୍ଷତି ଉପରେ ଚେତାବନୀ ଦେଇଥିଲେ । ସେ କହିଥିଲେ ଯଦି ପରମାଣୁ ଆକ୍ରମଣ ହୁଏ ତେବେ ବିଶ୍ୱରେ ଆଉ କିଛି ବି ରହିବନି । ତେଣୁ ଋଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ଆଣିବାକୁ ଆମକୁ ଅପିଲ କରିବାକୁ ହେବ । କେବଳ ଟ୍ରମ୍ପ ନୁହେଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବି ପରମାଣୁ ଆକ୍ରମଣର ଚେତାବନୀ ଦେଇସାରିଛନ୍ତି । ବାଇଡେନ କହିଥିଲେ କି ପୁଟିନ ପରମାଣୁ ନେଇ ମଜାକ କରୁନାହାନ୍ତି । କ୍ୟୁବା ଉପରେ ମିସାଇଲ ମାଡ ପରେ ପରମାଣୁ ଭୟ ଏବେ ବଢିଯାଇଛି ।

ଋଷ-ୟୁକ୍ରେନ ଯୁଦ୍ଧ ଏବେ ଅନ୍ୟ ଦେଶ ଦେଶ ମଧ୍ୟରେ ଲଢେଇର ରୂପ ନେଉଛି । ୟୁକ୍ରେନ ବିରୋଧରେ ବେଲାରୁସ ସେନା ଋଷ ସପକ୍ଷରେ ଲଢିବେ । ନିକଟରେ ଋଷ ରାଷ୍ଟ୍ରପତି ପରମାଣୁ ଆକ୍ରମଣର ଧମକ ଦେଇଥିଲେ । ଯାହାପରେ ପରମାଣୁ ନେଇ ଅଲଗା ଅଲଗା ପ୍ରତିକ୍ରିୟା ଆସିଥିଲା । ଋଷକୁ ସାହାଯ୍ୟ କରୁଥିବା ବେଲାରୁସ ଉପରେ ପୋଲାଣ୍ଡ ବଡ ଅଭିଯୋଗ କରିଛି । ପୋଲାଣ୍ଡ କହିଛି ଋଷ ନିଜ ପରମାଣୁ ଅସ୍ତ୍ର ପାଇଁ ବେଲାରୁସକୁ ନିଜ ଆଡ୍ଡା କରିଛି । ଆଉ ପୋଲାଣ୍ଡ ଆମେରିକାକୁ ଅପିଲ କରି କହିଛି କି ଆମେରିକା ବି ତାର ପରମାଣୁ ଅସ୍ତ୍ରକୁ ପୋଲାଣ୍ଡ ପଠାଉ ।

କିଛି ଦିନ ତଳେ ୟୁକ୍ରେନର ରାଜଧାନୀ ଉପରେ ମିସାଇଲ୍ ମାଡ କରିଥିଲା ମସ୍କୋ । ୟୁକ୍ରେନ ରାଜଧାନୀ କିଭ୍ ସମେତ ୧୨ଟି ସହରରେ ମିସାଇଲ ମାଡ କରିଥିଲା ଋଷ । ଦୁଇ ଘଂଟା ଭିତରେ ୨୪ରୁ ଅଧିକ ପାୱାର ପ୍ଲାଂଟ ଉପରେ କ୍ଷେପଣାସ୍ତ୍ର ମାଡ ହୋଇଥିବାରୁ ବିଜୁଳି ସେବା ବ୍ୟାହତ କରିଦେଇଥିଲା ଋଷ । କେଉଁଠି ପିଲାଙ୍କ ଖେଳପଡିଆ ଧ୍ୱଂସ ହୋଇଛି, ତ ଆଉ କେଉଁଠି ବଡ ଅଟ୍ଟାଳିକା ରୁଷର ମିସାଇଲ ମାଡରେ କ୍ଷତିଗ୍ରସ୍ତ ହୋଇଛି ।

ନିକଟରେ ରୁଷକୁ କ୍ରିମିଆ ସହ ସଂଯୋଗ କରୁଥିବା କେର୍ଚ ବ୍ରିଜ ଉପରେ ଆକ୍ରମଣ ହୋଇଥିଲା । ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଥିଲା । ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଥିଲା । ୟୁକ୍ରେନ୍ ପକ୍ଷରୁ ଏହା କେବଳ ଆରମ୍ଭ ମାତ୍ର ବୋଲି କୁହାଯାଇଥିଲା । ୨୦୧୪ରେ କ୍ରିମିଆ ଉପରେ ରୁଷ କବଜା କରିଥିଲା ଏବଂ ୟୁକ୍ରେନ ସହ ଯୁଦ୍ଧରେ ଏହି ବ୍ରିଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା । ୨୦୧୮ରେ ପୁଟିନ୍ ଏହି ବ୍ରିଜର ଉଦଘାଟନ କରିଥିଲେ । ଏବେ ୟୁକ୍ରେନ କ୍ରିମିଆ ସହିତ ଋଷର ସଂଯୋଗ ବିଚ୍ଛିନ୍ନ କରିବାକୁ ପ୍ରୟାସ କରିବା ପରେ ପୁଟିନ ପ୍ରତିଶୋଧ ପରାୟଣ ହୋଇଥିବା କୁହାଯାଇଛି ।

ତେବେ ଆଗାମୀ ଦିନରେ ପରମାଣୁ ଆକ୍ରମଣ ନେଇ ଆଶଙ୍କା କରାଯାଉଛି । ଯଦି ପରମାଣୁ ଆକ୍ରମଣ ହୁଏ ତେବେ ଭୟଙ୍କର କ୍ଷତି ସହିବ ବିଶ୍ୱ । ତେଣୁ ଏହା ପୂର୍ବରୁ ବିଶ୍ୱ ସମୁଦାୟ ଏହି ଯୁଦ୍ଧରେ ଶାନ୍ତି ଫେରାଇ ଆଣିବାକୁ ବାରମ୍ବାର ଅପିଲ କରୁଛନ୍ତି ।