କନକ ବ୍ୟୁରୋ: ପଦଯାତ୍ରାରେ ରାଜନୈତିକ ବାଦ ବିବାଦ । ଜନ ସଂପର୍କ ପଦଯାତ୍ରାରେ ସରକାରୀ ସଫଳତା ବଖାଣିବା ଅପେକ୍ଷା ନୂଆ ନେତାଙ୍କ ନୂଆ ଇଂନିସ୍ ଆରମ୍ଭର ଇସାରା ଓ ବିରୋଧୀ ଦଳ ନେତାଙ୍କ ବିରୋଧରେ ବୟାନ ବାଜି ବେଶି ହେଉଛି । ସମ୍ବଲପୁର ବିଜୁ ଜନତା ଦଳର ପଦଯାତ୍ରାରେ ବିଶାଲ ଦାସଙ୍କ ଉପସ୍ଥିତି ଓ ରୋହିତ ପୂଜାରୀଙ୍କ ବାହାରିଆ ନେତା ପ୍ରସଙ୍ଗ ଜିଲ୍ଲା ରାଜନୀତିକୁ ସରଗରମ କରିଛି ।

Advertisment

ସରକାରୀ ସଫଳତା ବଖାଣି ଲୋକଙ୍କ ସହ ଯୋଡି ହେବା ପାଇଁ ଜନସଂପର୍କ ପଦଯାତ୍ରା କରୁଛି । ହେଲେ ଏହି ଜନ ସଂପର୍କ ପଦଯାତ୍ରାରେ ଲୋକଙ୍କ ସହ ଯୋଡି ହେବା ଅପେକ୍ଷା ରାଜନୀତି ବେଶି କରାଯାଉଛି । ବିରୋଧୀ ଦଳର ସ୍ଥାନୀୟ ନେତାଙ୍କୁ ଟାର୍ଗେଟ କରି ବୟାନ ବାଜି ଜାରି ରହିଛି । ଯାହା ସମ୍ବଲପୁର ପଦଯାତ୍ରାରେ ଦେଖିବାକୁ ମିଳିିଛି । ସମ୍ବଲପୁରରେ ବିକାଶମୂଳକ କାମ ସଂପୂର୍ଣ୍ଣ ବନ୍ଦ ପଡିଥିବା କହି ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି । ରୋହିତ ପୂଜାରୀ କହିଛନ୍ତି, ଅନ୍ୟ ଜିଲ୍ଲାରୁ ଜଣେ ନେତା ସମ୍ବଲପୁରରେ ସାଂସଦ ହେବାକୁ ସ୍ୱପ୍ନ ଦେଖୁଛନ୍ତି ।

ବିଜେଡି ବିଧାୟକ ରୋହିତ ପୂଜାରୀଙ୍କ ବକ୍ତବ୍ୟକୁ ଖଣ୍ଡନ କରିଛି ବିଜେପି । ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ କହିଛନ୍ତି, ଜିଲ୍ଲା ବାହାରୁ ନଗେନ୍ଦ୍ର ପ୍ରଧାନଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା, ବିଜେପି ଅବିଭକ୍ତ ସମ୍ବଲପୁର ଜିଲ୍ଲାରୁ ପ୍ରାର୍ଥୀ କରିଥିଲା । ପଦଯାତ୍ରା ବେଳେ ବିଜେଡି ଆଣିଥିବା ଅଭିଯୋଗର କୌଣସି ସତ୍ୟତା ନଥିବା ବିଜେପି ଜିଲ୍ଲା ସଭାପତି କହିଛନ୍ତି ।

ସେପଟେ ସମ୍ବଲପୁରରେ ବିଜେଡି ପଦଯାତ୍ରାରେ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଦେଖିବାକୁ ମିଳିଥିଲା । ସମ୍ବଲପୁରରେ ବିଜେଡି ପକ୍ଷରୁ ବିଶାଲଙ୍କୁ ପ୍ରାର୍ଥୀ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସମ୍ବଲପୁରରେ ପଦଯାତ୍ରାକୁ ନେଇ ରାଜନୀତି ସରଗରମ ହେବା ସହ ୨୪ ପାଇଁ ରଣହୁଙ୍କାର ଦେଇଛି ବିଜେଡି ।