ପେଡ୍ ପିରିୟଡ୍ ଲିଭ୍ ପାଇଁ ଆସିବ କି ଆଇନ? ସରକାରଙ୍କ ଉପରେ ନିଷ୍ପତି ଛାଡିଲେ ସୁପ୍ରିମକୋର୍ଟ

988

କନକ ବ୍ୟୁରୋ: କର୍ମଜୀବୀ ମହିଳା ଓ ଛାତ୍ରୀଙ୍କୁ ଋତୁସ୍ରାବ ଜନିତ ଛୁଟି ଦେବା ପାଇଁ କଣ କରାଯାଇପାରିବ । ପେଡ ପିରିୟଡ ଲିଭ୍ ପାଇଁ ସ୍ୱତନ୍ତ୍ର ଆଇନ ଅଣାଯାଇ ପାରିବ କି ନାହିଁ ସେ ନେଇ ଅନୁଧ୍ୟାନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି, ସୁପ୍ରିମକୋର୍ଟ । ଏ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଏହା ଏକ ନୀତିଗତ ନିଷ୍ପତି । ତେଣୁ କେନ୍ଦ୍ର ସରକାର ଏସମ୍ପର୍କରେ ନିଷ୍ପତି ନେବେ । ଏଥିପାଇଁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ଦାବିପତ୍ର ଦେବାକୁ ଆବେନକାରୀଙ୍କୁ କହିଛନ୍ତି କୋର୍ଟ ।

ପେଡ୍ ପିରିୟଡ ଲିଭ୍ ଦେବା ପାଇଁ, ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆଇନଜୀବୀ ଶୈଳେନ୍ଦ୍ରମଣୀ ତ୍ରିପାଠୀ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ସେ ତାଙ୍କ ଆବେଦନରେ ଅନୁରୋଧ କରି ଦର୍ଶାଇଥିଲେ କେବଳ ବିହାର ଓ କେରଳ ମହିଳାଙ୍କୁ ରୁତୁସ୍ରାବ ଜନିତ ଛୁଟି ଦିଆଯାଉଛି । ବିହାରରେ ୨ଦିନ ଛୁଟି ଦିଆଯାଉଥିବାବେଳେ କେରଳରେ ୩ଦିନ ଛୁଟି ଦିଆଯାଉଛି । ତେଣୁ ଦେଶର ସମସ୍ତ କର୍ମଜୀବୀ ମହିଳାଙ୍କୁ ଯେମିତି ଏହି ସୁବିଧା ମିଳିବ ସେଥିପାଇଁ ନିର୍ଦ୍ଦେଶ ଦିଅନ୍ତୁ । ହେଲେ, ଏହା ଦ୍ୱାରା ଖରାପ ପ୍ରଭାବ ପଡିବ ବୋଲି ଜଣେ ଆଇନ ଛାତ୍ରୀ କାଭିଏଟ୍ ଫାଇଲ କରିଥିଲେ । ଯାହାର ଗୁରୁତ୍ୱକୁ ଅନୁଭବ କରିବ ମାମଲାକୁ ଖାରଜ କରିବା ସହ ସରକାରଙ୍କ ଉପରେ ଛାଡି ଦେଇଥିଲେ ।

ରୁତୁ ସ୍ରାବ ସମୟରେ କର୍ମଜୀବୀ ମହିଳା ଓ ଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ତେଣୁ ଦୀର୍ଘ ଦିନ ହେବ ପେଡ ପିରିୟଡ ଲିଭ୍ ଦେବାକୁ ଦାବି ହୋଇ ଆସୁଛି ।

ପ୍ରଥମ ୟୁରୋପୀୟ ଦେଶ ଭାବେ ସ୍ପେନରେ କିଛି ଦିନ ତଳେ ପେଡ୍ ପିରିୟଡ ଲିଭକୁ ଅନୁମତି ଦିଆଯାଇଛି । ମହିଳାଙ୍କ ରୁତୁ ସ୍ରାବ ସମିୟରେ ୩ ରୁ ୫ଦିନ ପର୍ଯ୍ୟନ୍ତ ଦରମା ସହ ଛୁଟି ଦେବାକୁ ଘୋଷଣା କରିଛନ୍ତି ସ୍ପେନ୍ ସରକାର । ସେହିପରି ଦକ୍ଷିଣ କୋରିଆ, ଜାପାନ, ଇଂଲଣ୍ଡରେ ମହିଳାଙ୍କୁ ରୁତୁସ୍ରାବ ଜନିତ ଛୁଟି ମିଳୁଛି । ହେଲେ, ଭାରତରେ ଏହି ସୁବିଧା ମିଳୁ ନଥିବାର. ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ନଜର ରହିଛି ।