କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହେବ ମେଂଟ ! ଆସନ୍ତା ୫ରେ ଓଡିଶା ଗସ୍ତରେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିପାରନ୍ତି । ମୋଦୀଙ୍କ ସମ୍ବଲପୁର ଗସ୍ତ ପର ଠାରୁ ମେଂଟ ଚର୍ଚ୍ଚା ଜୋର ଧରିଛି । ଏବଂ ଦିଲ୍ଲୀରେ ଶୀର୍ଷ ନେତୃତ୍ୱ ମଧ୍ୟରେ ଆସନ ବୁଝାମଣା ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି । କିନ୍ତୁ ଏନେଇ ଉଭୟ ରାଜନୈତିକ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଯଦି ମେଂଟ ହୁଏ, ତେବେ କାହାକୁ କେତେ ଫାଇଦା ମିଳିବ ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି-ବିଜେପି ମଧ୍ୟରେ ମେଂଟ ହେବା ନେଇ ଦିଲ୍ଲୀରୁ ପଲ୍ଲୀ ଯାଏଁ ଚର୍ଚ୍ଚା ବଢିବାରେ ଲାଗିଛି । ଅବଶ୍ୟ ରାଜ୍ୟର ଏହି ଦୁଇ ପ୍ରମୁଖ ଦଳର ନେତା, ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି । ଗୋଟିଏ ପଟେ ଉଭୟ ଦଳ ନିଜ ନିଜ ଅନ୍ଦାଜରେ ନିର୍ବାଚନ ପ୍ରସ୍ତୁତି ଚଳାଇଛନ୍ତି । ଅନ୍ୟପଟେ ଚର୍ଚ୍ଚା ହେଉଛି, ଦିଲ୍ଲୀରେ ଶୀର୍ଷ ନେତୃତ୍ୱ ମଧ୍ୟରେ ଚାଲିଛି ଆସନ ବୁଝାମଣା ନେଇ ଅଙ୍କକଷା ।

ମୋଦୀଙ୍କ ସମ୍ବଲପୁର ଗସ୍ତ ପରେ ମେଂଟ ନେଇ ଚର୍ଚ୍ଚା ଜୋର ଧରିଥିଲା । ନିର୍ବାଚନୀ ବର୍ଷରେ ବିଜେଡି ସରକାରଙ୍କ ବିରୋଧରେ ପଦଟିଏ କହିନଥିଲେ ମୋଦୀ । ଯାହା ଏହି ଚର୍ଚ୍ଚାକୁ ଆଗକୁ ବଢାଇଥିଲା ।

ଏମିତି ବି କୁହାଯାଉଛି, ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ରୂପରେଖ ଚୂଡ଼ାନ୍ତ ହୋଇପାରେ । ତେବେ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ମେଂଟକୁ ନେଇ କ’ଣ ହେଉଛି ଚର୍ଚ୍ଚା?
ଯଦି ମେଂଟ ହେବ କାହାକୁ ମିଳିବ କେତେ ସିଟ୍?
୨୦୦୦ରୁ ୨୦୦୯
ବିଜେଡି ଓ ବିଜେପି ମଧ୍ୟରେ ବିଧାନସଭାରେ ଥିଲା ୮୪: ୬୩ ବୁଝାମଣା
ଲୋକସଭାରେ ଥିଲା ୧୨:୯ ଭାଗବଂଟା

ସମୟ ବଦଳିବା ସହ ଏବେ ରାଜନୈତିକ ସମୀକରଣ ମଧ୍ୟ ବଦଳି ଯାଇଛି । ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି, ଯଦି ଆସନ୍ତା ନିର୍ବାଚନରେ ବିଜେଡି-ବିଜେପି ମେଂଟ ହୁଏ, ତେବେ ବିଜେଡିକୁ ମିଳିପାରେ ଅଧିକ ବିଧାନସଭା ଆସନ । ଆଉ ଅଧିକ ଲୋକସଭା ସିଟ୍ରେ ଲଢ଼ିପାରେ ବିଜେପି ।

ଏପଟେ ଚର୍ଚ୍ଚା ହେଉଛି ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏପଟେ ବିଜୁବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛି ବିଜେଡି । ସେହି ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଥିବାରୁ ଏହାକୁ ଯୋଡି ଦେଖାଯାଉଛି ।

ମେଂଟ ହେଲେ କାହାକୁ କି ଲାଭ?
ମେଂଟ ହେଲେ ବିଜେପି ପାଇଁ ଲାଭ ହେଉଛି
‘ଏନ୍ଡିଏ’ର ଆକାର ବଢିବ
ପୂର୍ବ ଭାରତରେ ଏନ୍ଡିଏର ସ୍ଥିତି ଦୃଢ଼ ହେବ
୪୦୦ ଆସନ ଜିତିବା ଲକ୍ଷ୍ୟରେ ଏହା ସହାୟକ ହେବ
ସେହିପରି ବିଜେଡି ପାଇଁ ଲାଭ ହେଉଛି
ଷଷ୍ଠ ଥର ପାଇଁ ଅନାୟାସରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ
କେନ୍ଦ୍ରର ସହଯୋଗ ବଢ଼ିବ