କନକ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷିଆ । ଗତ ୨୪ ଘଣ୍ଟା ଭିତରେ ଖାରକିଭ ଉପରେ ୫୬ ଥର ବୋମା ଓ ମିଜାଇଲ୍ ଆକ୍ରମଣ କରିଛି ରୁଷ ସେନା । ସେପଟେ ଯୁଦ୍ଧକୁ ନେଇ ତୁର୍କୀ ସରକାର ବଡ ଦାବି କରିଛି । ଆସନ୍ତା ୪୮ ଘଣ୍ଟା ଭିତରେ ଯୁଦ୍ଧ ଶେଷ ହୋଇପାରେ ବୋଲି ତୁର୍କୀ ପକ୍ଷରୁ କୁହାଯାଇଛି ।

Advertisment

ଜାରି ରହିଛି ରୁଷିଆ ଓ ୟୁକ୍ରେନ ଭିତରେ ଯୁଦ୍ଧ । ଗତ ୨ ମାସ ଧରି ଦୁଇ ଦେଶର ସେନା ମୁହାଁମୁହିଁ ଲଢେଇ ଜାରି ରଖିଛନ୍ତି । ଆଉ ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସ, ବିଧ୍ୱଂସ ହୋଇ ଯାଇଛି । ହଜାର ହଜାର ସେନା ଓ ସାଧାରଣ ନାଗରିକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ଶୁକ୍ରବାର ୟୁକ୍ରେନର ଖାରକିଭ ସହର ଉପରେ ଜୋରଦାର ଆକ୍ରମଣ କରିଛି ରୁଷ ସେନା । ଏଠାରେ ରୁଷ ୫୬ ଥର ବୋମା ଓ ମିଜାଇଲ ବର୍ଷା କରିଛି ପୁଟିନ ବାହିନୀ । ସେପଟେ ୟୁକ୍ରେନ ଆର୍ମି ବି ରୁଷ ସେନାକୁ ଜବରଦସ୍ତ ଜବାବ ଦେଇଛି । ଖାରକିଭରେ ରୁଷିଆର ଗୋଟିଏ ଯୁଦ୍ଧ ବିମାନ ଓ ଗୋଟିଏ ହେଲିକପ୍ଟରକୁ ଧ୍ୱଂସ କରିବାରେ ସଫଳ ହୋଇଥିବା ୟୁକ୍ରେନ ଦାବି କରିଛି ।

  • ଶେଷ ହେବ କି ୟୁକ୍ରେନ-ରୁଷ ଯୁଦ୍ଧ?
  • ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହୋଇପାରେ ନିଷ୍ପତ୍ତି

୨ ମାସର ଧରି ଜାରି ରହିଥିବା ଯୁଦ୍ଧ ଆସନ୍ତା ୪୮ ଘଣ୍ଟା ଭିତରେ ଶେଷ ହୋଇପାରେ ବୋଲି ଦାବି କରିଛି ତୁର୍କୀ । ତୁର୍କୀ ସରକାର ପକ୍ଷରୁ କୁହାଯାଇଛି ଖୁବଶୀଘ୍ର ଯୁଦ୍ଧ ଶେଷ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ତୁର୍କୀ ରାଜଧାନୀ ଇସ୍ତାନବୁଲରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ମଧ୍ୟରେ ହୋଇପାରେ ବୈଠକ । ଉଭୟ ଆଲୋଚନା ଜରିଆରେ ଯୁଦ୍ଧ ଶେଷ କରିବାର ବାଟ ବାହର କରିବେ ବୋଲି ତୁର୍କୀ ରାଷ୍ଟ୍ରପତି ଦାବି କରିଛନ୍ତି ।

ଏପଟେ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ପାରନ୍ତି ଜାତିସଂଘ ମହାସଚିବ ଆଂଟୋନିଓ ଗୁଟରେସ । କେବଳ ସେତିକି ନୁହେଁ ୟୁକ୍ରେନ ବି ଗସ୍ତ କରି ପାରନ୍ତି ଜାତିସଂଘ ମହାସଚିବ । ଦୁଇ ଦେଶର ରାଷ୍ଟ୍ରନେତାଙ୍କୁ ଭେଟି ଯୁଦ୍ଧକୁ ଶେଷ କରିବା ପାଇଁ ନିବେଦନ କରି ପାରନ୍ତି ବୋଲି କୁହାଯାଉଛି । ଏହାରି ଭିତରେ ୟୁକ୍ରେନ ରାଜଧାନୀ କିଭରେ ପୁଣିଥରେ ଆମେରିକୀୟ ଦୂତାବାସ ଖୋଲିବା ପାଇଁ ରାଷ୍ଟ୍ରପତି ବାଇଡେନ୍ ବିଚାର କରୁଛନ୍ତି ।