ରାଜ୍ୟ ରାଜକୋଷ ଉପରେ କରୋନା ମାଡ: ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ୫୦%ରୁ ଅଧିକ ରାଜସ୍ୱ ହାନି; କେମିତି ଦିଆଯିବ ସରକାରୀ କର୍ମଚାରୀଙ୍କୁ ଦରମା, କେମିତି ହେବ ଯୋଜନା ଖର୍ଚ୍ଚ

ବଢ଼ିଲା ସରକାରଙ୍କ ଚିନ୍ତା

627

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବାକୁ ଲକଡାଉନ କରାଯାଉଛି । ଏପଟେ ଲକଡାଉନ ଯୋଗୁଁ ପ୍ରଭାବିତ ହେଉଛି ଅର୍ଥନୀତି । କେବଳ ସାଧରଣ ଲୋକଙ୍କ ରୋଜଗାର ଯେ ବିଗିଡି ଯାଉଛି, ତାହା ନୁହେଁ, ରାଜ୍ୟ ସରକାରଙ୍କ ଆୟ ବି ହ୍ରାସ ପାଇବାରେ ଲାଗିଛି । ପରିସ୍ଥିତି ଧୀରେ ଧୀରେ ଏପରି ରୂପ ନେବାକୁ ଲାଗିଛି ଯେ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ବି ସମସ୍ୟାରେ ପଡ଼ିବେ ସରକାର । ଏପଟେ ଯୋଜନା ବାବଦରେ ଖର୍ଚ୍ଚ କାଟ ହେଲେ ଏହାର ନକରାତ୍ମକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ବିଗିଡି ଯାଇଛି ସରକାରଙ୍କ ଆର୍ଥିକ ସ୍ଥିତିି । କରୋନା ମାଡରେ ପ୍ରଭାବିତ ହୋଇଛି ରାଜସ୍ୱ ଆଦାୟ । ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୨ ମାସରେ ସଂଗ୍ରହ ହୋଇଥିଲା ପ୍ରାୟ ୭ ହଜାର କୋଟି ଟଙ୍କାର ରାଜସ୍ୱ । ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ବଦଳି ଯାଇଛି ସ୍ଥିତି । ଏହି ସମୟ ମଧ୍ୟରେ ରାଜସ୍ୱ ସଂଗ୍ରହ ପ୍ରାୟ ୩ ହଜାର କୋଟି ରହିଥିବା ସୂଚନା ମିଳିଛି । ଗତବର୍ଷ ଖଣିକ୍ଷେତ୍ରରୁ ଏହି ଦୁଇ ମାସରେ ୨୧ ଶହ କୋଟି ଟଙ୍କାର ରାଜସ୍ୱ ମିଳିଥିବା ବେଳେ ଚଳିତ ବର୍ଷ ମାତ୍ର ଏକ ହଜାର କୋଟି ଟଙ୍କା ରାଜସ୍ୱ ମିଳିଛି ଖଣି କ୍ଷେତ୍ରରୁ । ସେହିପରି ଜିଏସଟି ବାବଦରେ ଗତବର୍ଷ ପ୍ରାୟ ୨୧ ଶହ କୋଟି ଟଙ୍କା ଯାଇଥିଲା ରାଜକୋଷକୁ । ତେବେ ଚଳିତ ବର୍ଷ ଏପ୍ରିଲ-ମେ’ ମାସରେ ୧୧ଶହ ୯୨ କୋଟି ଟଙ୍କା ମିଳିଛି ଜିଏସଟି ବାବଦରୁ ।

ଓଡ଼ିଶାର ଦେଢ଼ ଲକ୍ଷ କୋଟି ମୋଟ ବଜେଟରୁ ସିଂହ ଭାଗ ଖର୍ଚ୍ଚ ହୁଏ ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ୍ ବାବଦରେ । ରାଜସ୍ୱ ଆଦାୟ ହ୍ରାସ ପାଉଥିବାରୁ କିପରି କର୍ମଚାରୀଙ୍କୁ ଦରମା ଦିଆଯିବ ତାହା ଏବେ ଚିନ୍ତାର କାରଣ ପାଲଟିଛି । ଏପଟେ ଆୟ କମୁଥିବାରୁ କିପରି ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚ ହେବ, ଏହା ଏବେ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି ।

ଜିଏସଟି, ଭ୍ୟାଟ, ଖଣି କ୍ଷେତ୍ରକୁ ଛାଡିଦେଲେ ଅବକାରୀ ଶୁଳ୍କ, ମୋଟର ଯାନ, ଷ୍ଟାମ୍ପ ଡ୍ୟୁଟି ଓ ପଂଜିକରଣ ଶୁଳ୍କ ଭଳି ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ ଆୟ କମିବାରେ ଲାଗିଯାଇଛି । ଅନଲାଇନ ମଦ ବିକ୍ରିକୁ ଅନୁମତି ଦିଆଯାଇଥିବାରୁ ଜୁନ ମାସରେ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇବା ଆଶା କରୁଛନ୍ତି ସରକାର । ତେବେ ତାହା ମଧ୍ୟ ପର୍ଯ୍ୟାପ୍ତ ହେବନାହିଁ । ତେଣୁ ବଜେଟ ଆବଂଟନ ଅନୁଯାୟୀ ଖର୍ଚ୍ଚ କରିବାକୁ ହେଲେ ସରକାରଙ୍କୁ ଋଣ କରିବାକୁ ପଡ଼ିପାରେ ।