ଦ୍ୱିତୀୟ ଲହର ସରିନି, ଚିନ୍ତା ବଢ଼ାଇଲା ତୃତୀୟ ଲହର । ଏସବିଆଇ ରିପୋର୍ଟ କହିଲା, ଦ୍ୱିତୀୟ ଲହର ଭଳି ମାରାତ୍ମକ ହୋଇପାରେ ତୃତୀୟ ଲହର 

1,084

କନକ ବ୍ୟୁରୋ: ଦେଶରେ ଯେତେବେଳେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଧିରେ ଧିରେ କମୁଛି, ସେତିକି ବେଳେ ତୃତୀୟ ଲହର ନେଇ ସତର୍କ କରାଇଛି ଏସବିଆଇର ଏକ ରିପୋର୍ଟ । ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ ତୃତୀୟ ଲହର ।

କରୋନାର ଦ୍ୱିତୀୟ ଲହରରୁ ଦେଶ ମୁକୁଳିନଥିବା ବେଳେ ତୃତୀୟ ଲହରକୁ ନେଇ ଆସିଛି ସତର୍କବାଣୀ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବିଭିନ୍ନ ସଂସ୍ଥାର ଆକଳନ, କରୋନାରେ ଅଧିକ ପ୍ରଭାବିତ ଦେଶଗୁଡିକର ସ୍ଥିତିକୁ ଅନୁଧ୍ୟାନ କରି ଏସବିଆଇ ଇକୋରାପ୍ ତୃତୀୟ ଲହରକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ ଭାରତରେ ତୃତୀୟ ଲହର । ଏହା ୯୮ ଦିନ ବା ୩ ମାସରୁ ଅଧିକ ଦିନ ଧରି ଚାଲିପାରେ ବୋଲି ସତର୍କବାଣୀ ଶୁଣାଇଛି ଏସବିଆଇ ରିପୋର୍ଟ । ତେବେ କରୋନା ମୁକାବିଲା ପ୍ରସ୍ତୁତି ଠିକ୍ ରହିଲେ ମୃତ୍ୟୁ ସଂଖ୍ୟାକୁ ରୋକାଯାଇପାରିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି ।

ନଜର ପକାନ୍ତୁ ଏସବିଆଇ ଇକୋରାପ୍ ରିପୋର୍ଟ ବିଶେଷ ଦିଗ ଉପରେ 

ଅଧିକ ଆକ୍ରାନ୍ତ ଦେଶଗୁଡିକରେ ତୃତୀୟ ଲହର ପ୍ରଭାବ ରହିଛି ହାରାହାରି ୯୮ ଦିନ

ଦ୍ୱିତୀୟ ଲହର ପ୍ରଭାବ ରହିଥିଲା ୧୦୮ ଦିନ 

ଦ୍ୱିତୀୟ ଲହରଠାରୁ ତୃତୀୟ ଲହର ଶୀର୍ଷ ଥିଲା ୧.୮ ଗୁଣ

ଭାରତରେ ପ୍ରଥମ ଲହରଠାରୁ ଦ୍ୱିତୀୟ ଲହର ଶୀର୍ଷ ରହିଛି ୪.୨ ଗୁଣ

ମେ ମାସ ୭ ତାରିଖରେ ଦେଶରେ ଚିହ୍ନଟ ହୋଇଥିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ଆକ୍ରାନ୍ତ । ଦ୍ୱିତୀୟ ଲହରରେ ଏହା ଥିଲା ଭାରତର ଶୀର୍ଷ ସଂକ୍ରମଣ । ଏହା ପରେ ଦେଶରେ ଦୈନିକ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।

ଏବେ ବି ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଦ୍ୱିତୀୟ ଲହର ପ୍ରକୋପ ବିଶେଷ ଭାବେ ହ୍ରାସ ପାଇନାହିଁ । ଏହାରି ଭିତରେ ତୃତୀୟ ଲହରକୁ ନେଇ ଆକଳନ ନୂଆ ଭୟ ସୃଷ୍ଟି କରିଛି । ତେବେ ତୃତୀୟ ଲହରରେ କରୋନାଜନିତ ମୃତ୍ୟୁ ୫ ପ୍ରତିଶତ ହ୍ରାସ ପାଇପାରେ ବୋଲି କହିଛି ଏସବିଆଇ ଇକୋରାପ୍ ରିପୋର୍ଟ । ଏପଟେ ଜୁଲାଇ ମଧ୍ୟ ଭାଗରୁ ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଦେଶରେ ଦିନକୁ ୧ କୋଟି ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ତୃତୀୟ ଲହର ମୁକାବିଲା ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଉପରେ ନିର୍ଭର କରୁଛି ତୃତୀୟ ଲହରକୁ କିପରି ନିୟନ୍ତ୍ରଣ କରାଯାଇପାରିବ ।