ବୁଡ଼ି ଯିବ କି ପଥର କାରିଗରଙ୍କ କୂଳ ବେଉସା? କଞ୍ଚା ମାଲ ଅଭାବରୁ ନିଜର ବୃତ୍ତିଠାରୁ ଦୂରେଇ ଗଲେଣି ମୂର୍ତି କାରିଗର

85

କନକ ବ୍ୟୁରୋ: ପଥର କାରିଗରଙ୍କ ଗାଁ ଭାବେ ପୋଲସରା ମଥୁରା ଗାଁର ରହିଛି ସ୍ୱତନ୍ତ୍ର ପରିଚୟ । କାହିଁ କେଉଁ କାଳରୁ ଗାଁର ମାହାରଣା ପରିବାର ଏହି ବୃତିକୁ ଆପଣାଇଛନ୍ତି । ପଥରରେ ଖୋଦେଇ କରି ବିଭିନ୍ନ ପ୍ରକାରର ମୂର୍ତି ତିଆରି ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ନିକଟସ୍ଥ ପାହାଡ଼ରୁ ପଥର ଓ ବାହାର ଜିଲ୍ଲାରୁ କଳାମୁଗୁନି ପଥର ସଂଗ୍ରହ କରି ବିଭିନ୍ନ ପ୍ରକାରର କଳାକୃତି କରନ୍ତି କାରିଗର । ହେଲେ ଏବେ ପଥର ମିଳୁନଥିବାରୁ ଏହି କୂଳ ବେଉସା ଏବେ ବୁଡ଼ିବାକୁ ବସିଲାଣି । ପୂର୍ବରୁ ଗାଁର ୬୦ଟି ପରିବାର ଏହି କାମ କରୁଥିବାବେଳେ ଏବେ ମାତ୍ର ୪ଟି ପରିବାର ଏହି କାମ କରୁଛନ୍ତି ।

୨ ଫୁଟର ମୂର୍ତି ତିଆରି ପାଇଁ ୩ ଦିନ ସମୟ ଲାଗୁଥିବା ବେଳେ ସିଂହ ମୂର୍ତି ତିଆରି ପାଇଁ ୩ ମାସ ସମୟ ଲାଗିଥାଏ । ଏହାର ମୂଲ୍ୟ ମାପ ଅନୁସାରେ ୪୦ ହଜାରରୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ । ଠାକୁରଙ୍କ ମୂର୍ତି ଠାରୁ ଆରମ୍ଭ କରି ତୁଳସୀ ଚଉରା ଓ ମନ୍ଦିରର ବିଭିନ୍ନ ପ୍ରକାରର କଳାକୃତି ନିର୍ମାଣ କରନ୍ତି କାରିଗର । ଏବେ ପଥର ଅଭାବ ଯୋଗୁଁ କାରିଗର ମାନେ ସେମାନଙ୍କ କର୍ମସଂସ୍ଥାନ ବଦଳାଇଛନ୍ତି । ଆଉ ଏହି ସୂନ୍ଦର ସୂନ୍ଦର କଳାକୃତି ନିର୍ମାଣ କାମ ଏବେ ଲୋପ ପାଇବାକୁ ବସିଲାଣି । ତେଣୁ ଏହି କାମ ପାଇଁ ସରକାରୀ ସହାୟତା ସହ କଂଚାମାଲ ଯୋଗାଇଦେବାକୁ ଦାବି କରିଛନ୍ତି କାରିଗର ।