ବିଗିଡ଼ିଯିବ କି ସମ୍ବଲପୁର ସମୀକରଣ ? ନୂଆ ଟିକେଟ ସହ ପୁରୁଣା ମୈଦାନରେ ନଗେନ୍ଦ୍ର ପ୍ରଧାନ

1,818

କନକ ବ୍ୟୁରୋ: କଂଗ୍ରେସ ଦଳ, ସମ୍ବଲପୁର ଆସନ ପାଇଁ ପ୍ରାର୍ଥୀ ବଦଳାଇବା ସହ ସମ୍ମାନର ଆସନ ଥିବା ଏହି ଲୋକସଭା ଲଢ଼େଇରେ ଆଉ ଜଣେ ବଡ଼ ଚେହେରାଙ୍କ ଏଂଣ୍ଟ୍ରି ହୋଇଛି । ଧର୍ମେନ୍ଦ୍ର ବନାମ ପ୍ରଣବ ମୁକାବିଲାକୁ ନେଇ ସମ୍ବଲପୁୁର ଯେତିକି ଚର୍ଚ୍ଚା ସୃଷ୍ଟି କରିଥିଲା, ସେଇ ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛନ୍ତି ନଗେନ୍ଦ୍ର ପ୍ରଧାନ ।

  • ନୂଆ ଟିକେଟ ସହ ପୁରୁଣା ମୈଦାନରେ ନଗେନ୍ଦ୍ର ପ୍ରଧାନ
  • ବିଗିଡ଼ି ଯିବ କି ସମ୍ବଲପୁର ସମୀକରଣ ?

ନଗେନ୍ଦ୍ର ପ୍ରଧାନ ହେଉଛନ୍ତି ସେଇ ରାଜନୈତିକ ହସ୍ତୀ ଯିଏ ସମ୍ବଲପୁର ଲୋକସଭା ଆସନରୁ ଥରେ ସାଂସଦ ହୋଇଥିବା ବେଳେ, ସେଇ ସମାନ ସଂସଦୀୟ କ୍ଷେତ୍ରରେ ଆସୁଥିବ ଆଠମଲ୍ଲିକ ବିଧାନସଭାରୁ ୩-୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଅର୍ଥାତ୍ ବିଜେଡିରୁ ଉଭୟ ବିଧାୟକ ଓ ସାଂସଦ ବନିଥିବା ନଗେନ୍ଦ୍ର ପ୍ରଧାନ ଏଥର କଂଗ୍ରେସ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଆଉ ଅପରପାଶ୍ୱର୍ରେ ଅଛନ୍ତି ମୋଦୀ ମନ୍ତ୍ରୀମଣ୍ଡଳର ଲୋକପ୍ରିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିର ସାଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ତେଣୁ ଲଢ଼େଇ ଏତେ ସହଜ ହେବନି ।

ଏଥିରେ କୌଣସି ସନ୍ଦେହ ନାହଁ ଯେ, ସମ୍ବଲପୁରରେ ଲଢ଼େଇ ଏଥର ଦମ୍ଦାର ହେବ । କିନ୍ତୁ ସମ୍ବଲପୁର ଭୋଟର୍ ବି ବେଶ୍ ଚାଲାକ୍ । ବିଗତ ୧୫ ବର୍ଷର ଯଦି ରାଜନୈତିକ ଇତିହାସକୁ ଦେଖାଯିବ, ସମ୍ବଲପୁର ଭୋଟର୍ଙ୍କ ମୁଡ୍ ସହଜରେ ପରଖି ହେବ । ପ୍ରତି ୫ବର୍ଷରେ ଥରେ ସାଂସଦ ବଦଳାନ୍ତି ଭୋଟର୍ । ୨୦୦୯ରେ କଂଗ୍ରେସରୁ ଅମରନାଥ ପ୍ରଧାନରେ ବିଜୟୀ ହୋଇଥିବା ବେଳେ ୨୦୧୪ରେ ବିଜେଡିରୁ ନଗେନ୍ଦ୍ର ପ୍ରଧାନ ସାଂସଦ ହୋଇଥିଲେ । ଆଉ ୨୦୧୯ରେ ପୁଣି ଥରେ ବଦଳି ଯାଇଥିଲେ  । ସମ୍ବଲପୁର ଭୋଟରଙ୍କ ପସନ୍ଦ, ସାଂସଦ ହୋଇଥିଲେ ବିଜେପିର ନୀତେଶ ଗଙ୍ଗଦେବ ।

ରାଜନୀତି ଠିକ୍ କ୍ରିକେଟ୍ ଖେଳ ଭଳି ଅନିଶ୍ଚିତତାର ପ୍ରସଙ୍ଗ । କେତେବେଳେ କିଏ କେଉଁଠୁ ଜିିତିଯିବ ଏବଂ କାହାକୁ କେତେବେଳେ କେଉଁ ଆସନରୁ ଭୋଟ୍ ମିଳିବ, ତାହା ଆକଳନ କରିବା କଷ୍ଟକର । ତେବେ ନଗେନ୍ଦ୍ର ପ୍ରଧାନ ଯଦି ଭୋଟ୍ ସାଉଁଟିବାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କଠାରୁ ପଛରେ ବି ରୁହନ୍ତି, ପୁରା ଗଣିତ ବିଗାଡ଼ି ଦେବାକୁ ସକ୍ଷମ ବୋଲି କୁହାଯାଉଛି । ସେହିପରି ଅନୁଗୁଳ ଜିଲ୍ଲାରେ ୨ଟି ବିଧାନସଭା କ୍ଷେତ୍ରରେ ବି ନଗେନ୍ଦ୍ରଙ୍କ ଲୋକପ୍ରିୟତା ରହିଛି ବୋଲି ଚର୍ଚ୍ଚା ହୁଏ । ସେମିତିରେ ଗତ ୩ଟି ନିର୍ବାଚନରେ ସାଂସଦଙ୍କ ବିଜୟ ବ୍ୟବଧାନ ମାତ୍ର ୯ ହଜାରରୁ ୩୧ ହଜାର ଭିତରେ ରହିଛି ।