କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ପାହାଡ ଭଳି ଟଙ୍କା ମିଳିବାର ଦୃଶ୍ୟ ଆପଣ ଦେଖୁଥିଲେ । ସେହି ଟଙ୍କାର ଗଣତି ଚାଲିଛି । ତେବେ ଏହି ଚଢ଼ାଉବେଳେ ବିଭିନ୍ନ ଠିକଣାରୁ ମିଳିଥିବା ଲାଲ ଡାଏରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Advertisment

ମଦବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ମିଳିଛି ଲାଲ ଡାଏରୀ । ଆଉ ସେହି ଲାଲ ଡାଏରୀରେ ମଦବ୍ୟବସାୟ ଓ କଳା ସାମ୍ରାଜ୍ୟର ଅନେକ ରହସ୍ୟ ଲୁଚି ରହିଛି । କୁହାଯାଉଛି, ସେହି ଡାଏରୀରେ ରହିଛି କେଉଁମାନେ ମଦ ବ୍ୟବସାୟୀଙ୍କଠାରୁ ମାସିକିଆ ଚାନ୍ଦା ନେଉଥିଲେ? ଟଙ୍କା ନେଇ ଏହି ବେଆଇନ କାରବାରରେଁ ମଦ ବ୍ୟବସାୟୀଙ୍କ ସହଯୋଗ କରୁଥିଲେ । ସୂଚନା ଅନୁସାରେ ଲାଲ ଡାଏରୀରେ ରହିଛି,

ଲାଲ ଡାଏରୀରେ କାହାର ନାଁ?
- କାହାକୁ ଦିଆଯାଏ, କେତେ ଚାନ୍ଦା
- ମାସିକିଆ କେତେ, ବର୍ଷିକିଆ କେତେ..
- ଡାଏରୀରେ ରହିଛି ଅଧିକାରୀଙ୍କ ନାଁ
- ପୋଲିସ କର୍ମଚାରୀଙ୍କ ନାଁ ବି ଥିବା ସୂଚନା
- ରାଜନେତା, କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନାଁ
- ବେଆଇନ କାରବାର ପାଇଁ ନେଇଥାନ୍ତି ମାସିକିଆ ବଟି

ଆୟକର ବିଭାଗ ହାତରେ ଲାଲ ଡାଏରୀ ଲାଗିବା ପରେ, ମଦ ବ୍ୟବସାୟୀଙ୍କଠାରୁ ଲାଂଚ ନେଉଥିବା ଲାଂଚୁଆ ଅଧିକାରୀ, କଳା କାରବାରରେ ସମ୍ପୃକ୍ତ ଥିବା ନେତା ଛାନିଆ ହୋଇପଡିଛନ୍ତି । କେତେବେଳେ ଯେ ସେମାନଙ୍କ ପାଳି ପଡିଯିବ ତାକୁ ନେଇ ଚିନ୍ତାରେ ଅଛନ୍ତି ।

ସବୁଠାରୁ ବଡ କଥା ହେଉଛି, ଚଢ଼ାଉବେଳେ ପ୍ରାୟ ସବୁ ମଦ ଭାଟିରୁ ଏଭଳି ଲାଲ ଡାଏରୀ ଥିବା କୁହାଯାଉଛି । ମିଳିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମେ ଯାହାକୁ ଲାଲ ଡାଏରୀ କହୁଛୁ, ମଦ ବ୍ୟବସାୟୀ ଏହାକୁ କୁତା ଖାତା କହିଥାନ୍ତି । କୁତା ଖାତା କାହିଁକି ନାଁ ଦିଆଯାଇଛି, ସେ ସମ୍ପର୍କରେ ଭିନ୍ନ ଭିନ୍ନ କଥା କୁହାଯାଉଛି । ଯେଉଁଥିରେ ବିଭିନ୍ନ ସମୟରେ ଲାଂଚ ନେଉଥିବା ଲୋକଙ୍କ ହିସାବ ରହିଥାଏ ବୋଲି ସୂଚନା ମିଳିଛି । .. ତେବେ କେବଳ ଏହି ଡାଏରୀ ନୁହେଁ, ଏଥିସହ ଚଢ଼ାଉ ସମୟରେ ଆହୁରି ଅନେକ କାଗଜପତ୍ର ଓ ଫାଇଲ ଜବତ କରିଛି ଆୟକରବିଭାଗ । ସେଗୁଡିକର ଯାଂଚ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିବ ବୋଲି କୁହାଯାଉଛି ।

ସୂଚନା ଅନୁସାରେ ଲାଲ ଡାଏରୀରେ ଥିବା ତଥ୍ୟକୁ ଆଧାର କରି ତଦନ୍ତ କରୁଛି ଆୟକର ବିଭାଗ । ଆଉ ଯେଉଁମାନେ ମଦବ୍ୟବସାୟୀଙ୍କ ଠାରୁ ବଟି ନେଉଥିଲେ, ଖୁବଶୀଘ୍ର ସେମାନଙ୍କ ନାଁ ସାମନାକୁ ଆସିପାରେ ।