ଅଙ୍କ ବିଗାଡ଼ିବେ କି ଅସନ୍ତୁଷ୍ଟ ନେତା? ନେତା ମାନିଗଲେ, କର୍ମୀ ବୁଝିଲେ ତ?

Advertisment
ଅଙ୍କ ବିଗାଡ଼ିବେ କି ଅସନ୍ତୁଷ୍ଟ ନେତା? ନେତା ମାନିଗଲେ, କର୍ମୀ ବୁଝିଲେ ତ?

କନକ ବ୍ୟୁରୋ: ଟିକେଟ୍ କଟିଥିବା ନେତା କିମ୍ବା ପ୍ରାର୍ଥୀ ପରିବର୍ତନ ପରେ ଅସନ୍ତୁଷ୍ଟ ନେତା ବିଭିନ୍ନ ବାଟରେ ସେମାନଙ୍କ ଅସନ୍ତୋଷ ଝାଡ଼ୁଥିଲେ । ଏମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବା ଆଶଙ୍କାରେ ମନାଇବାକୁ ପ୍ରୟାସ କରିଛି ଶାସକ ଦଳ । ବିଜେପି ଓ କଂଗ୍ରେସରେ ଏଭଳି ନେତା ଅଛନ୍ତି, ଯେଉଁମାନେ ନିଷ୍ପତିରେ ଖପ୍ପା । ଆଶଙ୍କା କରାଯାଉଛି, ଆଗକୁ ଏମାନେ ଅଡ଼ୁଆ ବଢ଼ାଇ ପାରନ୍ତି । ନେତାଙ୍କୁ ମନାଇଲେ ବି ସମର୍ଥକଙ୍କୁ ସାଙ୍ଗରେ ଆଣିବା ସମ୍ଭବ ହୋଇନପାରେ ।

ଟିକେଟ ମିଳିନଥିବା ନେତା ଏବଂ ଟିକେଟ ମିଳିବା ପରେ ପ୍ରାର୍ଥୀ ପରିବର୍ତନ କରିଥିବା ନେତ୍ରୀଙ୍କୁ ବୁଝାଇବା ପାଇଁ ଶାସକ ବିଜୁ ଜନତା ଦଳ ପ୍ରୟାସ କରିଛି । ସମୀର ଦାଶ ଏବଂ ଅରୁନ୍ଧତୀ ଦେବୀଙ୍କୁ ଦଳୀୟ ଦାୟୀତ୍ୱ ଦେଇ ସମ୍ଭାବ୍ୟ ଅସନ୍ତୋଷକୁ ଏଡ଼ାଇବା ପାଇଁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ତେବେ ନେତାଙ୍କୁ ସିନା ବୁଝାଇବାକୁ ଦଳ ଉଦ୍ୟମ କରିଛି, ହେଲେ କର୍ମୀ ଏଥିରେ ମାନିବେ ତ’?

ସମୀର ଦାଶଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ୱ ମିଳିଥିବାବେଳେ ଅରୁନ୍ଧତୀ ଦେବୀଙ୍କୁ ରାଜ୍ୟ ସାଧାରଣ ସଂପାଦକ ଦାୟୀତ୍ୱ ଦିଆଯାଇଛି । ତେବେ ଅରୁନ୍ଧତୀ ଦେବୀଙ୍କୁ ବିଧାୟିକ ଆସନରେ ବସାଇବାକୁ ଅଂଟା ଭିଡ଼ିଥିବା ସମର୍ଥକ ଏହି ଘଟଣାକୁ କେମିତି ଦେଖିବେ ତାହା ଗୁରୁତ୍ୱପୂର୍ଣ୍ଣ ।

ଅସନ୍ତୁଷ୍ଟ ନେତାଙ୍କୁ ନେଇ ଏବେ ଚିନ୍ତାରେ ତିନି ପ୍ରମୁଖ ଦଳର ନେତା । ପ୍ରଥମେ ଟିକେଟ ଦେଇ ପରେ ଟିକେଟ ଫେରାଇ ନେଇଥିବାରୁ ଏବେ ସୁଯୋଗ ଅନ୍ୱେଷଣରେ ଅଛନ୍ତି ନେତା । ପୁରୀ ବିଧାନସଭା କ୍ଷେତ୍ରରେ ଉମାବଲ୍ଲଭ ରଥଙ୍କୁ ଟିକେଟ ଦେଇ ସୁଜିତ ମହାପାତ୍ରଙ୍କୁ ବାଦ୍ ଦେଇଛି କଂଗ୍ରେସ । ପୂର୍ବରୁ ଦଳୀୟ ଟିକେଟରେ ନାମାଙ୍କନ ଭରିଥିବା ସୁଜିତ ଏବେ ମୈଦାନରେ ସ୍ୱାଧୀନ ପ୍ରାର୍ଥୀ । ସମାନ ଢଙ୍ଗରେ ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇଥିବା ଦୁଲାଲ୍ ପ୍ରଧାନ, ଏବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିଭଳି ମାହାଙ୍ଗାରେ ବିଜେପିର ଚିନ୍ତା ବଢାଇଛନ୍ତି ଶାରଦା ପ୍ରାଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କ ଖାସ୍ ସମର୍ଥକ ଥିବା ଶାରଦା ଏଠାରେ ଟିକେଟରୁ ବଞ୍ଚିତ ହୋଇଛନ୍ତି। ବିଜେପି ସୁମନ୍ତ ଘଡେଇଙ୍କୁ ପ୍ରାର୍ଥି କରିବା ପରେ ଶାରଦା ଏବେ ସ୍ବାଧିନ ପ୍ରାର୍ଥି ଭାବେ ମଇଦାନରେ। ସେହିଭଳି ଖୋର୍ଦ୍ଧାରେ ବିଜେପି ବିବାଦୀୟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥି ଘୋଷଣା କରିବା ପରେ କାଳୁ ଖଣ୍ଡାୟତରାଏ ଏବେ ସ୍ବାଧିନ ପ୍ରାର୍ଥି। ମୈଦାନରେ ଥିବା ଦଳୀୟ ପ୍ରାର୍ଥୀମାନଙ୍କୁ ଏବେ ପ୍ରତିପକ୍ଷଙ୍କ ସହ ଅସନ୍ତୁଷ୍ଟଙ୍କ ଆହ୍ୱାନର ସାମ୍ନା କରିବାକୁ ପଡ଼ିପାରେ । ଯାହା ସବୁ ଅଙ୍କ ବିଗାଡ଼ି ଦେଇପାରେ ବୋଲି ଆଶଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe