ବଦଳିବ କି ପୁରୀ ରାଜନୀତିର ସମୀକରଣ? ମହେଶ୍ୱରଙ୍କ ପରେ କାହାକୁ ଭରସା କରିବେ ସୁପ୍ରିମୋ?

99

କନକ ବ୍ୟୁରୋ: ବଦଳିବ କି ପୁରୀ ରାଜନୀତିର ସମୀକରଣ ? ମହେଶ୍ୱର ମହାନ୍ତିଙ୍କ ପରଲୋକ ପରେ ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଜୋର ଧରିଛି । ପୁରୀ ବିଧାନସଭା ଆସନ ପାଇଁ ବିଜେଡିର ଅପ୍ରତିଦ୍ୱନ୍ଦୀ ନେତା ଥିଲେ ମହେଶ୍ୱର ମହାନ୍ତି । କିନ୍ତୁ ତାଙ୍କ ଅବର୍ତମାନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ମହେଶ୍ୱରଙ୍କ ପୁଅ ସୁନୀଲ ମହାନ୍ତି ଓ ସ୍ଥାନୀୟ ନେତା ଶୁଭାଶିଷ ଖୁଂଟିଆ ଏଥିପାଇଁ ଦାବିଦାର ବୋଲି କୁହାଯାଉଛି । ସେହିଭଳି ସ୍ଥାନୀୟ ସାଂସଦ ପିନାକୀ ମିଶ୍ର ବି ପୁରୀ ରାଜନୀତିରେ ସେଭଳି ସକ୍ରିୟ ନଥିବାରୁ ସାସଂଦ ଟିକେଟ କାହାକୁ ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ମହେଶ୍ୱର ମହାନ୍ତିଙ୍କ ଭଳି ଅପ୍ରତିନ୍ଦ୍ୱନ୍ଦୀ ନେତାଙ୍କ ଅବର୍ତମାନ ପରେ ପୁରୀ ବିଜେଡିର ଗଡ କିଏ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । କୁହାଯାଉଛି, ୨୦୨୪ରେ ପୁରୀ ବିଧାନସଭାର ଲଢିବା ପାଇଁ ଅଂଟା ଭିଡିପାରନ୍ତି ମହେଶ୍ୱରଙ୍କ ପୁଅ ସୁନୀଲ ମହାନ୍ତି । ପୂର୍ବରୁ ସୁନୀଲଙ୍କୁ ଅନେକ ସଭାସମିତିରେ ଦେଖିବାକୁ ମିଳିଛି । । ସେହିଭଳି ମହେଶ୍ୱରଙ୍କ ଏକଦା ନିକଟତର ଥିବା ବିଜୁ ଛାତ୍ର ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ବି ଟିକେଟ ପାଇଁ ପ୍ରବଳ ଦାବିଦାର ଅଛନ୍ତି । ମହେଶ୍ୱର ମହାନ୍ତି ସକ୍ରିୟ ଥିବାବେଳେ ଶୁଭାଶିଷ ଗୋଷ୍ଠୀ ସମାନ୍ତରାଳ ଭାବେ ସଙ୍ଗଠନ ଚଳାଉଥିଲେ । ବିଜେଡିର ଅଲଗା ଅଲଗା କାର୍ଯ୍ୟକ୍ରମ ବି ହେଉଥିଲା । ସେପଟେ ବର୍ତମାନର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ବି ବିଜେଡି ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ମହେଶ୍ୱର ଥିଲେ ୫୦ ବର୍ଷର ଅଭିଜ୍ଞ ରାଜନେତା । ଜିଲ୍ଲା ବିଜେଡିର ସଭାପତି ବି ଥିଲେ । ତେଣୁ ତାଙ୍କ ତାଙ୍କ ପରଲୋକ ପରେ ବିଜେଡିର ଯଦି ଜିଲ୍ଲା ଠିକ ରଣନୀତି ନ କରେ ତାହା ହେଲେ ବିରୋଧୀ ଏହାର ଫାଇଦା ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଧାନସଭା ଭଳି ପୁରୀ ଲୋକସଭା ଆସନକୁ ନେଇ ବି ଆଲୋଚନା ଆରମ୍ଭ ହୋଇଗଲାଣି । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଙ୍କୁ କଡା ଟକ୍କର ଦେଇଥିଲେ ସମ୍ବିତ ପାତ୍ର । ପିନାକୀଙ୍କ ବିଜୟ ବ୍ୟବଧାନ ବହୁତ କମ ଥିଲା ।
୨୦୧୯ ନିର୍ବାଚନ
ପ୍ରାର୍ଥୀ ଭୋଟ ପ୍ରତିଶତ
ପିନାକୀ ମିଶ୍ର ୫,୩୮,୩୨୧ ୪୭.୪୦
ସମ୍ବିତ ପାତ୍ର ୫,୨୬,୬୦୭ ୪୬.୩୭
କିନ୍ତୁ ଗତ କିଛିଦିନ ହେଲା ପିନାକୀଙ୍କୁ ପୁରୀ ରାଜନୀତିରେ ସକ୍ରିୟ ଥିବା ଦେଖିବାକୁ ମିଳୁନାହିଁ । କୌଣସି କାର୍ଯ୍ୟକ୍ରମରେ ବି ପୁରୀ ସାଂସଦ ସାମିଲ ହେଉନାହାନ୍ତି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ରଙ୍କ ପୁରୀ ଗସ୍ତ ବଢି ବଢି ଯାଉଥିବାବେଳେ ପିନାକୀଙ୍କ କମି କମି ଯାଉଛି । ସମ୍ବିତ ପାତ୍ର ବିଜେପିରୁ ଟିକେଟ ପାଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବାବେଳେ ବିଜେଡି କାହାକୁ ଟିକେଟ ଦେବ ତାକୁ ନେଇ ଚାଲିଛି ଆଲୋଚନା ।

ମହେଶ୍ୱର ମହାନ୍ତିଙ୍କ ପରଲୋକ ପରେ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ବି ବିଜେଡି ରାଜନୀତିରେ ସକ୍ରିୟ ହୋଇଛନ୍ତି । ତେଣୁ ଜିଲ୍ଲା ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର ରହିଛ ିା