୪ ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ପଡିବ କି ଓଡିଶାରେ? ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ଉପରେ ବିଜେପି ଏବଂ କଂଗ୍ରେସର ନଜର ରଖିଥିବା ସୂଚନା

200

କନକ ବ୍ୟୁରୋ: ଛତିଶଗଡ ବିଧାନସଭାରେ ବିଜେପି ବାଜିମାତ କରିବା ପରେ ଉତ୍ସାହିତ ରାଜ୍ୟ ବିଜେପି ଶିବିର । ପଶ୍ଚିମ ଓଡିଶାକୁ ଲାଗି କରି ରହିଛି ଏହି ପଡୋଶୀ ରାଜ୍ୟ । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । କାରଣ ପଶ୍ଚିମ ଓଡିଶାରେ ନିର୍ବାଚନ ବେଳେ ଛତିଶଗଡ ନେତା ପ୍ରଚାରକୁ ଆସୁଥିବା ବେଳେ ଛତିଶଗଡ ନିର୍ବାଚନ ବେଳେ ଓଡିଆ ନେତା ଯାଇ ପ୍ରଚାର କରନ୍ତି । ଅନ୍ତିମ ସାଧାରଣ ନିର୍ବାଚନ ବେଳେ ବିଜେପି ପଶ୍ଚିମ ଓଡିଶାର ୫ ଲୋକସଭା ଆସନ ଜିତିିଥିଲା । ସେହିପରି ୩୫ ବିଧାୟକ ଆସନରୁ ୨୩ଟି ବିଜେଡି ଜିତିଥିବା ବେଳେ ବିଜେପି ୯ଟି ଏବଂ କଂଗ୍ରେସ ୩ଟିରେ ବିଜୟୀ ହୋଇଥିଲା । ଓଡିଶାର ପଶ୍ଚିମରେ ବିଜେପି ଅନ୍ୟ ସ୍ଥାନ ତୁଳନାରେ ଅଧିକ ପ୍ରଭାବ ରଖିଛି ବୋଲି କୁହାଯାଏ । ତେଣୁ ଛତିଶଗଡ ନିର୍ବାଚନର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ସେହିପରି ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କୁ ଚେହେରା କରି ଆଦିବାସୀଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛି ବିଜେପି । ରାଜ୍ୟରେ ବିଜେପି ଉଭୟ ଲୋକସଭା ଏବଂ ବିଧାନସଭା ଆସନ ଉପରେ ନଜର ରଖିଛି । ମୁଖ୍ୟତଃ ଲୋକସଭା ଆସନ ପାଇଁ ଅଧିକ ଆଗ୍ରେସିଭ୍ ରହିଛି ବିରୋଧୀ ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଯେଉଁଠି ଦୁର୍ନୀତି ହୋଇଛି ସେଠାରେ ବିଜେପି ବିଜୟୀ ହୋଇଛି । ଆଗାମୀ ଦିନରେ ଏହାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀଙ୍କ ଉପରେ ଓଡିଶାବାସୀଙ୍କ ଆଶୀର୍ବାଦ ରହିଛି ।

ତେଲେଙ୍ଗାନାରେ କଂଗ୍ରେସ ପ୍ରଥମ ଥର ପାଇଁ ସରକାର ଗଢିବାରେ ସଫଳ ହୋଇଛି । ନୂଆ ରାଜ୍ୟ ଭାବେ ତିଆରି ହେବା ପରେ ବିଆରଏସ ମୁଖ୍ୟ କେସିଆର ସରକାର ଗଢିବାରେ ସଫଳ ହୋଇଥିଲେ । ଏବେ କିନ୍ତୁ ହ୍ୟାଟ୍ରିକ ବିଜୟ ରଖିଥିବା ଏହି ଦଳ କ୍ଷମତାଚ୍ୟୁତ ହୋଇଛି । ତେଣୁ ଏକଦା ଦକ୍ଷିଣ ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିଥିବା କଂଗ୍ରେସ ଏଠାରେ ପୁଣି ସକ୍ରିୟ ହେବ ବୋଲି କୁହାଯାଉଛି । ଦକ୍ଷିଣ ଓଡିଶାରେ ଅନେକ ତେଲୁଗୁ ଭେଟର ରହିଛନ୍ତି । ଯେଉଁମାନଙ୍କୁ କଂଗ୍ରେସ ନିଜ ପଟକୁ ଆଣିବାକୁ ସକ୍ଷମ ହେବ ବୋଲି କୁହାଯାଉଛିା ଏବେ ଦକ୍ଷିଣ ଓଡିଶାର ୪ ଲୋକସଭା ଆସନରୁ କଂଗ୍ରେସ ଗୋଟିଏ ଜିତିଥିବା ବେଳେ ଅନ୍ୟ ୩ଟି ବିଜେଡି ପାଖରେ ରହିଛି । ସେହିପରି ୨୮ ବିଧାୟକଙ୍କ ମଧ୍ୟରୁ ସିଂହଭାଗ ବିଜେଡି ପାଖରେ ରହିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ତେଲେଙ୍ଗାନାରେ ବିଆରଏସ ଏବଂ ବିଜେପି ଭିତିରିଆ ସଂପର୍କ ରଖିଥିଲେ । ତେଣୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ରାଜ୍ୟରେ ବିଜେଡି ଓ ବିଜେପି ଏକାଠି ଅଛନ୍ତି । ଯାହାକୁ ଆଗାମୀ ଦିନରେ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ପିସିସି ସଭାପତି କହିଛନ୍ତି ।